ମା’ ପରେ ଚାଲିଗଲା ଝିଅ, କରୋନା ସନ୍ଦେହରେ ‍ଆସିଲେନି ବନ୍ଧୁ ପରିଜନ ! ପ୍ରଶାସନ କଲା ଅନ୍ତିମ ସଂସ୍କାର

ବ୍ରହ୍ମପୁର: ମାଆ ଓ ଝିଅର ମୃୃତଦେହକୁ ଛୁଇଁଲେନି ଗ୍ରାମବାସୀ । ଶେଷରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ କଲେ ଶବସତ୍କାର । ଗଂଜାମ ଜିଲ୍ଲା ଆସିକା ଅଂଚଳରେ ଘଟିଛି ଏଭଳି ଏକ ଅଭାନୀୟ ଘଟଣା । ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଧର୍ମରାୟପୁର ଗାଁରେ ରହୁଥିବା ୭୦ ବର୍ଷୀୟା ବୃଦ୍ଧା ତମାଳ ପଣ୍ଡା ଓ ତାଙ୍କ ୩୮ ବର୍ଷୀୟା ଝିଅ କୁମାରୀ ଆଚାର୍ଯ୍ୟଙ୍କ ଶୁକ୍ରବାର ରାତିରେ ମୃତ୍ୟୁ ଘଟିଥିଲା ।

ତେବେ ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ରହିଥିବା ବେଳେ କୋଭିଡ୍ ସଂକ୍ରମଣ ସନ୍ଦେହରେ ପରିବାର ଲୋକ କିମ୍ବା ଗାଁର କେହି ଜଣେ ହେଲେ ବି ମୃତଦେହ ନିକଟକୁ ଆସିନଥିଲେ । ଶେଷରେ ସ୍ଥାନୀୟ ପ୍ରଶାସନ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ପ୍ରଶାସନ ହସ୍ତକ୍ଷେପ କରିବା ପରେ ସ୍ୱେଚ୍ଛାସେବୀ ସଂଗଠନର ଦୁଇ ସଦସ୍ୟ ଆସି ମୃୃୃତଦେହ ସତ୍କାର ଲାଗି ପ୍ରୟାସ ଆରମ୍ଭ କରିଥିଲେ । ମୃୃୃତ ମହିଳାଙ୍କ ପୁଅ ଓ ଅନ୍ୟଜଣେ ସମ୍ପର୍କୀୟଙ୍କ ସହ ସ୍ୱେଚ୍ଛାସେବୀ ସଂଗଠନର ଦୁଇ ସଦସ୍ୟ ପିପିଇ କିଟ୍ ପିନ୍ଧି ଶବ ସତ୍କାର କରିଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ବିଡିଓ, ତହସିଲଦାର, ଆଇଆଇସି ଉପସ୍ଥିତ ରହି ଶବ ସତ୍କାର କରିଥିଲେ ।

ତେବେ ଘଟଣାଟି ଏମିତି ଥିଲା ଯେ, ଶୁକ୍ରବାର ରାତିରେ ସାନଖେମୁଣ୍ଡି ବ୍ଲକ୍‌ ଧର୍ମରାୟପୁର ଗାଁର ତମାଳ ପଣ୍ଡା(୭୦)ଙ୍କର ମୃତ୍ୟୁ ଘଟିଥିଲା । ମୃତଦେହ ସଂସ୍କାର ପାଇଁ ପରିବାର ଲୋକ ସାହି-ଭାଇଙ୍କୁ ଡାକିଥିଲେ । ମାତ୍ର କେହି ଆସିଲେ ନାହିଁ । ରାତି ସାରା ସେମିତି ପଡ଼ି ରହିଲା ମୃତଦେହ । ଦୁର୍ଭାଗ୍ୟକୁ ଶନିବାର ସକାଳେ ତମାଳଙ୍କ ଘରେ ରହୁଥିବା ବିବାହିତ ଝିଅ ନଳିନୀ କୁମାରୀ ଆଚାର୍ଯ୍ୟ(୩୮)ଙ୍କ ମୃତ୍ୟୁ ଘଟିଥିଲା । ମାଆ-ଝିଅଙ୍କ ମୃତଦେହ ସତ୍କାର ପାଇଁ ପରିବାର ଲୋକେ ପୁଣି ଥରେ ସାହି-ଭାଇଙ୍କୁ ଡାକି ଥିଲେ । ମାତ୍ର କରୋନା ଭୟରେ କେହି ଆସିବାକୁ ମନା କରିଦେଇଥିଲେ । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ପରିବାର ଲୋକ ।

ମୃତକଙ୍କ ପରିବାର ଲୋକେ ଏନେଇ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ । ଖବର ପାଇ ଗାଁରେ ପହଞ୍ଚିଥିଲେ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଡକ୍ଟର ଶ୍ରୀନିବାସ ବେହେରା ଓ ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲ । ଏମାନେ ସମସ୍ତେ ଗାଁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ମାତ୍ର କେହି ରାଜି ହୋଇନଥିଲେ । ପରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏରେଣ୍ଡ୍ର। ଗାଁର ଦୁଇ ସ୍ୱେଚ୍ଛାସେବୀ ବୁଡୁ ବରାଡ, ମଙ୍ଗୁଲୁ ଜେନା ଓ ମୃତ ତମାଳଙ୍କ ପୁଅ ଏବଂ ଜ୍ୱାଇଁ ପିପିଇ କିଟ୍‌ ପିନ୍ଧି ମାଆ-ଝିଅଙ୍କ ମୃତଦେହକୁ ସତ୍କାର କରିଥିଲେ ।

You might also like