ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ ପ୍ରଥମ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶା ପାଇଁ ଖୁସିର ଖବର। କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୨ୟ ବ୍ୟକ୍ତି ଦୁଇଦିନ ତଳେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଥିବାବେଳେ ଆଜି ପ୍ରଥମ ଆକ୍ରାନ୍ତଙ୍କୁ ଡିସ୍‌ଚାର୍ଜ କରାଯାଇଛି।

ପ୍ରଥମ ଆକ୍ରାନ୍ତ ଜଣକ କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ନମୁନା ନେଗେଟିଭ ଆସିବା ପରେ ତାଙ୍କୁ ଡାକ୍ତରଖାନରୁ ଡିସ୍‌ଚାର୍ଜ କରାଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଏଥିସହ ବିଭାଗ କ୍ୟାପିଟାଲ୍ ହସ୍ପିଟାଲ୍ ଡାକ୍ତରୀ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଥମ ଆକ୍ରାନ୍ତ ବ୍ୟକ୍ତି ଜଣକ ଇଟାଲିରୁ ଦିଲ୍ଲୀ ଓ ସେଠାରୁ ଭୁବନେଶ୍ୱର ଫେରିଥିଲେ। ହେଲେ ସେ କ୍ୱାରେଣ୍ଟାଇନ୍‌ରେ ନ ଥିଲେ। ପରେ ତାଙ୍କର କରୋନା ପଜିଟିଭ ଆସିଥିଲା। ମାର୍ଚ୍ଚ ୧୬ରେ ତାଙ୍କୁ କରୋନା ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସା କରାଯାଉଥିଲା।

ସେହିପରି  ଓଡ଼ିଶାର ଦ୍ୱିତୀୟ କରୋନା ରୋଗୀ  ଭୁବନେଶ୍ୱର ଏମ୍‌ସ ହସ୍‌ପିଟାଲ୍‌ରୁ ଗତ ୧ ତାରିଖ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଛନ୍ତି। ତାଙ୍କ ବୟସ ୨୦ । ମାର୍ଚ୍ଚ ୧୯ ତାରିଖରେ ରାଜ୍ୟରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଦିନ ପରୀକ୍ଷା ହୋଇଥିବା ୧୪ ନମୁନାରୁ ଏହି ବ୍ୟକ୍ତିଙ୍କର କୋରନା ପଜିଟିଭ୍ ଜଣାପଡ଼ିଥିଲା। ସଂକ୍ରମିତ ବ୍ୟକ୍ତି ଜଣଙ୍କ ବ୍ରିଟେନ୍‌ରୁ ଫେରିଥିଲେ।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ ୫ ଜଣଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ଓଡ଼ିଶାରୁ ଆହୁରି ୩ ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି।

 

You might also like