ରାଉଲକେଲା: ସୁନ୍ଦରଗଡ଼ ବଡ଼ଗାଁ ବସଷ୍ଟାଣ୍ଡ ନିକଟରେ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ସୁନା ବ୍ୟାଗ ଲୁଟିଛନ୍ତି। ଗୁଳି ମାଡ଼ରେ ଆହତ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଗହଣା ଦୋକାନୀଙ୍କ ପୁଅଙ୍କ ମୃତ୍ୟୁ ହୋଇଛି। ଅନ୍ୟଜଣଙ୍କ ମେଡିକାଲରେ ଟିକିତ୍ସା ଚାଲିଛି I ଗୁଳିମାଡ଼ ବେଳର ସିସିଟିଭି ଫୁଟେଜ ପୋଲିସକୁ ମିଳିଛି।  ଏକ ବାଇକରେ ତିନି ଜଣ ଆସି ସ୍ଥାନୀୟ ଏକ ସୁନା ଗହଣା ଦୋକାନୀଙ୍କ ପୁଅକୁ ଗୁଳିମାଡ଼ କରି ବ୍ୟାଗ ଲୁଟି ନେଇଥିଲେ। ସୁନା ଦୋକାନୀଙ୍କ ପୁଅକୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଉପରେ ମଧ୍ୟ ଲୁଟେରା ଗୁଳି ଚଳାଇଥିଲେ।

୨ ଗୁରୁତରଙ୍କୁ ପ୍ରଥମେ ବଡ଼ଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା। ରାଉରକେଲା ମେଡିକାଲରେ ସୁନା ଦୋକାନୀଙ୍କ ପୁଅର ମୃତ୍ୟୁ ହୋଇଛି। ତେବେ ଅନ୍ୟ ଜଣଙ୍କର ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

ବଡଗାଁ ଥାନା ପୋଲିସ, ସାଇଣ୍ଟିଫିକ ଟିମ୍, ରାଜଗାଙ୍ଗପୁର ଏସଡିପିଓ ଏବଂ ସୁନ୍ଦରଗଡ଼ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଏକ ଲୁଟ୍ ଘଟଣା ବୋଲି ଏସପି କହିଥିବାବେଳେ ୩ଟି ଟିମ୍ ଗଠନ କରି ଘଟଣାର ତଦନ୍ତ ଜାରି ଥିବା ସେ କହିଛନ୍ତି। ତେବେ ଏହି ଘଟଣାର ସିସିଟିଭି ଫୁଟେଜ ଆଧାରରେ ପୋଲିସର ସାଇବର ଟିମ୍ ତଦନ୍ତ କରୁଛନ୍ତି। ଏହାସହିତ ପଡୋଶୀ ଜିଲ୍ଲା ଓ ସୀମାବର୍ତ୍ତୀ ଝାଡଖଣ୍ଡର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଛି।

ଗତ ଡିସେମ୍ବରରେ ମଧ୍ୟ ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ରାଉଲକେଲା ସହରରେ ଗୁଳିମାଡ଼ ହୋଇଥିଲା।ପ୍ରକାଶ ପ୍ରସାଦ ନାମକ ସୁନା ବେପାରୀ ତାଙ୍କ ମାଙ୍କ ସହିତ ରାଉରକେଲାରୁ ସିଂ ଟୋଲା ଘରକୁ ଫେରୁଥିଲେ। ରାଉରକେଲା ସହରର ବ୍ରହ୍ମାଣୀ ତରଙ୍ଗ ଥାନା ଅନ୍ତର୍ଗତ ସିଂ ଟୋଲାରେ ହଠାତ୍ କିଛି ଦୁର୍ବୃତ୍ତ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିଟି ପ୍ରକାଶଙ୍କ ମାଆଙ୍କ ପିଠିରେ ବାଜିଥଲା।

ଏଣେ ଯାଜପୁରରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳିମାଡ଼ କରି ଟଙ୍କା ଲୁଟ୍ ଉଦ୍ୟମ କରିଛନ୍ତି। ଛତିଆ ନିକଟ ପେଟ୍ରୋଲ୍ ପମ୍ପର କର୍ମଚାରୀ କାର ଯୋଗେ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ୩ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି କାର ଉପରକୁ ଗୁଳି ମାଡ଼ କରିଥିଲେ। ଏଥିରେ ୨ ଜଣ ପମ୍ପ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଛତିଆ ବିଟ୍ ହାଉସ୍ ନିକଟରେ ଏହି ଘଟଣା ଘଟିଛି। ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍ ଭାବି କାଗଜପତ୍ର ଥିବା ବ୍ୟାଗ୍ ନେଇ ଚମ୍ପଟ ମାରିଛନ୍ତି। ପୋଲିସ ଘଟଣାର ଖୋଳତାଡ଼ କରୁଛି।

Other Stories