ଗୁଳି ଫୁଟାଇ ଲୁଟି ନେଲେ ସୁନା ଅଳଙ୍କାର, ୨ ଗୁରୁତର

ସୋର(ନିରଞ୍ଜନ ବେହେରା): ଗୁଳିଫୁଟାଇ ସୁନାବେପାରୀଙ୍କ ଘରୁ ଲୁଟିନେଲେ ଟଙ୍କା ଓ ସୁନାଗହଣା । ପରିବାର ଲୋକେ, ଗ୍ରାମବାସୀ ସମସ୍ତେ ଦେଖୁଥିଲେ ହେଁ କିଛି କରିପାରି ନ ଥିଲେ। ବନ୍ଧୁକମୁନରେ ଭୟଭୀତ କରି ସର୍ବସ୍ୱ ଲୁଟିନେଇଥିଲେ। ବିରୋଧ କରିବାରୁ ଗ୍ରାମବାସୀଙ୍କୁ ଗୁଳି କରିଥିଲେ। ଫଳରେ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ସାଉଡୁ ଗାଁରେ ରୁହନ୍ତି ସନାତନ କମିଳା। ଗତକାଲି ରାତି ୨ଟାରେ ସମସ୍ତେ ଘରେ ଶୋଇଥିବାବେଳେ ୬ ଜଣ ସଶସ୍ତ୍ର ଡକାୟତ ତାଙ୍କ ଘର କବାଟ ତାଡି ପଶିଥିଲେ। ବିଭିନ୍ନ ମାରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ପ୍ରଥମେ ଭୟଭୀତ କରାଇଥିଲେ। ପ୍ରଥମେ ସନାତନ ଓ ତାଙ୍କ ପୁଅ ଡକାୟତଙ୍କୁ ଦେଖି ଦୌଡି ପଳାଇ ଯାଉଥିଲେ। ହେଲେ ଡକାୟତମାନେ ପରିବାର ଲୋକଙ୍କୁ ବାନ୍ଧି ଦେଇଥିଲେ। ପରେ ତାଙ୍କ ଆଲମିରା ତାଡି ସୁନା ଅଳଙ୍କାର, ଟଙ୍କା ସବୁ ଲୁଟି ନେଲେ। ପ୍ରାୟ ୧୦ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଅନ୍ୟପକ୍ଷେ ପରିବାର ଲୋକଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳକୁ ଆସିଥିଲେ। ଦୁଇ ଜଣ ଗ୍ରାମବାସୀ ସାହାସ କରି ତାଙ୍କ ଘରକୁ ପଶି ଯାଇଥିଲେ। ହେଲେ ଦୁର୍ବୃତ୍ତମାନେ ଗୁଳି ଫୁଟାଇବାରୁ ଗୁଳି ସେମାନଙ୍କ ଗୋଡ, ମୁଣ୍ଡ ଓ ଛାତିରେ ବାଜିଥିବା କହିଛନ୍ତି ସନାତନଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା। ଏମାନଙ୍କ ସହିତ ଗୁଳିମାଡ଼ରେ  ଅନ୍ୟଜଣେ ଗ୍ରାମବାସୀ ମଧ୍ୟ ଆହତ ହୋଇଛନ୍ତି। ତେବେ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କୁ ପ୍ରଥମେ ବାଲେଶ୍ୱର ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି।

ସନାତନଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କ କହିବା ଅନୁଯାୟୀ, ୬ରୁ ୭ ଜଣ ଡକାୟତ ଆସିଥିଲେ। କବାଟ ଭାଙ୍ଗି ସେମାନେ ଘରକୁ ପଶିଥିଲେ। ଗୁଳି ଫୁଟାଇ ସବୁ ଲୁଟି ନେଇଥିବା କହିଛନ୍ତି। ସେହିପରି ଜଣେ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରାତି ପ୍ରାୟ ଦେଢଟାରୁ ୨ଟା ମଧ୍ୟରେ ଏହି ଘଟଣା ଘଟିଛି। ଡକାୟତମାନେ ୧୫ରୁ ୨୦ ମିନିଟ ଧରି ଗୁଳିଚାଳନା କରିଥିଲେ। ଏହି ଗୁଳି ଘର ଭିତରେ ଓ  ବହାରେ ପଡିଥିବା ସେ କହିଛନ୍ତି।

 

You might also like