ତାତି ଟେନସନକୁ ଦ୍ୱିଗୁଣିତ କରୁଛି ରାଜ୍ୟରେ ଘଟୁଥିବା ଅଗ୍ନିକାଣ୍ଡ

ସାବଧାନ ହୁଅନ୍ତୁ, ସଜାଗ ରୁହନ୍ତୁ

ଭୁବନେଶ୍ୱର: କଥାରେ ଅଛି ଘରପୋଡ଼ିଠୁ ବିପତ୍ତି ନାହିଁ। ନିଆଁର ଲେଲିହାନ ଜିହ୍ୱା ଆଗରେ କି ଧନୀ, କି ଗରିବ କେଇ ଘଣ୍ଟା ଭିତରେ ନିଃସ୍ୱ କରିଦେଇପାରେ ଅଗ୍ନିକାଣ୍ଡ। ତେବେ ଗତ କିଛି ଦିନ ଭିତରେ ରାଜ୍ୟରେ ତାପମାତ୍ରା ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଥିବା ବେଳେ, ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସିଲାଣି ଅଗ୍ନିକାଣ୍ଡର ଭୟାନକ ଚିତ୍ର। ତେବେ ଏ ଦୁଇଟି ଘଟଣା ଭିତରେ କଣ କିଛି ସଂପର୍କ ରହିଛି? ଖରା ବଢ଼ିବା ସହ ବଢୁଛି କି ଅଗ୍ନିକାଣ୍ଡ ଆଶଙ୍କା ?

ନିଦାଘ ଆସୁଆସୁ ଡରାଇଲାଣି ନିଆ ବିପତ୍ତି। ପାରଦ ବଢ଼ିବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସର୍ବଗିଳା ନିଆଁର ତାଣ୍ଡବ ଦେଖିବାକୁ ମିଳିଛି। ଭଦ୍ରକ ଜିଲ୍ଲାର ଗ୍ରାମାଞ୍ଚଳ ଥାନା ବାଣୀତିଆ, ଚରମ୍ପାର ବେଲମଳା, ଭଣ୍ଡାରୀପୋଖରୀ ବ୍ଲକ୍ ଦକ୍ଷିଣବାଡ଼, ଆଉ ବନ୍ତ ବ୍ଲକ୍ ଗଣିଜାଙ୍ଗ ବାଣୀତିଆରେ ଘରେ ନିଆଁ ଲାଗି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ, ତାଙ୍କ ଝିଅ ଝିଆରୀ ଗୁରୁତର ଆହତ ହୋଇଛନ୍ତି। ବାକି ୩ଟି ସ୍ଥାନରେ ୧୦-୧୨ ବଖରା ଲେଖାଏଁ ଘର, ଧାନ ଚାଉଳ, ଲୁଗାପଟା ଓ ଆସବାବପତ୍ର, ସବୁ ଛାରଖାର ହୋଇଯାଇଛି। ସର୍ବସ୍ୱାନ୍ତ ହୋଇଯାଇଛନ୍ତି ଏକାଧିକ ପରିବାର।

ସେହିପରି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଢେପାପଲ୍ଲୀରେ ୧୨ ବଖରା ଘର ଜଳିଯାଇଥିବା ବେଳେ, ରାଧାକୃଷ୍ଣପୁରରେ ୯ଟି ପରିବାରର ୧୮ ବଖରା ଘର, ଲକ୍ଷାଧିକ ସଂପତ୍ତି ପାଉଁଶ ଗଦାରେ ପରିଣତ ହୋଇଛି। ଏପଟେ ଗତକାଲି ବାଲେଶ୍ୱର ଜିଲ୍ଲା ରେମୁଣା ଶାଳବଣୀରେ କାଗଜ କାର୍ଟୋନ ଗୋଦାମରେ ନିଆଁ, ସୋର ନଦୀଗାଁରେ ୯ଟି ପରିବାରର ନଗଦ ୩୦ ହଜାର ଟଙ୍କା ସହିତ ୫ଲକ୍ଷର ସଂପତ୍ତି ସ୍ୱାହା ହୋଇଛି।

କେଉଁଠି ଚୁଲି, କେଉଁଠି ସଟସର୍କିଟ୍‌ରୁ ନିଆଁ ଲାଗୁଛି, ତ ଆଉ କେଉଁଠି କାରଣ ଜଣାପଡ଼ୁନି। ତେବେ ବର୍ଦ୍ଧିତ ଗ୍ରୀଷ୍ମପ୍ରବାହ ସହ ବଢ଼ୁଛି କି ଅଗ୍ନିକାଣ୍ଡ ଆଶଙ୍କା? ବିଶେଷଜ୍ଞ କହିଛନ୍ତି, ଖରାଦିନେ ଅଧିକ ଫ୍ୟାନ୍ ଓ ଏସି ଆଦି ଚାଲୁଥିବାରୁ ବିଦ୍ୟୁତ୍‌ ଉପରେ ଅଧିକ ଚାପ ପଡ଼େ। ତେଣୁ ପୁରୁଣା ତାର ଗୁଡ଼ିକରେ ସର୍ଟସର୍କିଟ୍ ହେବାର ଆଶଙ୍କା ବଢ଼ିଯାଏ। ଏଥିସହ ଗାଁଗଣ୍ଡାରେ ଶୁଖିଲା ନଡ଼ା ଓ ପାଳଗଦାରେ ମଧ୍ୟ ଅସାବଧାନତା ବଶତଃ ଖରାଦିନେ ନିଆଁ ଲାଗିଯିବାର ଅଧିକ ଆଶଙ୍କା ରହିଛି। ଯାହାକି ସେଠାରୁ ଘରକୁ ଘର ଡେଇଁ ବିରାଟ ଦାବାନଳର ରୂପ ନିଏ।

ତେବେ ଜାଣିରଖନ୍ତୁ ଅଗ୍ନିକାଣ୍ଡକୁ ଏଡ଼ାଇବା ପାଇଁ କଣ କରିବା ଉଚିତ, କଣ ଅନୁଚିତ। ଘର ଭିତରେ ଓ ବାହାରେ ଅଦରକାରୀ ଦହନଶୀଳ ପଦାର୍ଥକୁ ନଷ୍ଟ କରିଦିଅନ୍ତୁ କିମ୍ବା ଘରଠୁ ଦୂରେଇ ରଖନ୍ତୁ। କଟି ଯାଇଥିବା କିମ୍ବା ନଷ୍ଟ ହୋଇଯାଇଥିବା ପୁରୁଣା ବିଦ୍ୟୁତ୍‌ ତାରକୁ ତୁରନ୍ତ ବଦଳାନ୍ତୁ। ୱାରିଂ କିମ୍ବା ସୁଇଚ୍ ବୋର୍ଡରେ ସ୍ପାର୍କିଂ ହେଉଥିଲେ, ତାରରୁ ନିଆଁଝୁଲ ଖସୁଥିଲେ ତାକୁ ତୁରନ୍ତ ସଜାଡ଼ନ୍ତୁ। ରୋଷେଇ ସରିବା ପରେ ଚୁଲିକୁ ଭଲଭାବେ ଲିଭାନ୍ତୁ। ଘରକୁ ଝୁଲି ରହିଥିବା ତାରରେ ବିଜୁଳି ଆଣନ୍ତୁ ନାହିଁ। ଶେଯ ପାଖରେ ମଶାଧୂପ ଲଗାଇ ଶୋଇଯାଆନ୍ତୁ ନାହିଁ। ସେଥିରୁ ନିଆଁ ଲାଗିଯିବାର ଆଶଙ୍କା ଥାଏ। ଅଲିଭା ଚୁଲି ଉପରେ କାଠ ଶୁଖାନ୍ତୁ ନାହିଁ ଶୁଖିଲା ନଡ଼ା ଓ ପାଳଗଦା ଆଦି ପାଖରେ ନିଆଁ ଲଗାନ୍ତୁ ନାହିଁ। ଏହାସହ ପିଲାମାନଙ୍କୁ ଦିଆସିଲି କିମ୍ବା ଲାଇଟର୍ ଆଦି ଖେଳିବାକୁ ଦିଅନ୍ତୁ ନାହିଁ। ଏହିଭଳି ସତର୍କ ଓ ସଜାଗ ରହିଲେ ହିଁ ଏଭଳି ଅଗ୍ନିକାଣ୍ଡ ଆଶଙ୍କାକୁ ଏଡ଼ାଇବା ସମ୍ଭବ ହୋଇପାରିବ।

You might also like