ଭୟାବହ ଅଗ୍ନିକାଣ୍ଡ : ନିଆଁ ଲାଗି ୨୧ ବଖରା ଭସ୍ମୀଭୂତ

ଡେଲାଙ୍ଗ : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ମାଛପଡ଼ା ଗାଁରେ ଭୟାଭୟ ଅଗ୍ନିକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ୧୧ଟି ପରିବାରର ୨୧ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ମାଛପଡା ଗ୍ରାମର ହାଲୁ ମହାନ୍ତିଙ୍କର ସେହି ଗ୍ରାମର ଭାଗୀରଥି ସ୍ୱାଇଁଙ୍କ ସହିତ ପୂର୍ବ ଶତ୍ରୁତା ରହିଥିଲା। ଏନେଇ ହାଲୁ ମହାନ୍ତି ଗତ କାଲି ଗ୍ରାମରେ ଗାଳି ଗୁଲଜ କରିଥିଲେ। ପରେ ରାତିରେ ସେ ଭାଗୀରଥିଙ୍କ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।

ତେବେ ଚାହୁଁଚାହୁଁ ନିଆଁ ଚାରି ଆଡେ ବ୍ୟାପି ଯାଇଥିଲା। ଏଥିରେ ଗ୍ରାମର ୨୧ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ଦୀର୍ଘ ୫ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ ପରେ ନିଆଁ କୁ ଆୟତ୍ତ କରାଯାଇଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି । ଲୋକଙ୍କ ଧାନ, ଚାଉଳ, ବିରି, ମୁଗ, ଆସବାବପତ୍ର ସମେତ ଟଙ୍କା ପଇସା ଜଳି ପୋଡି ପାଉଁଶ ହୋଇଯାଇଛି। ଏନେଇ ଡେଲାଙ୍ଗ ଥାନାରେ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ପୁଲିସ ଏନେଇ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି।

You might also like