କେତେ ଭୟଙ୍କର ଏସି ଶର୍ଟସର୍କିଟ୍ ନିଆଁ! ବିଜେଡି ନେତାଙ୍କ ସହ ଗଲା ଦୁଇ ଜୀବନ

ବ୍ରହ୍ମପୁର: ରାତି ଅଧରେ କେତେ ଭୟଙ୍କର ହୋଇପାରେ ଏସି ଶର୍ଟସର୍କିଟ୍ ନିଆଁ। ତାର ପ୍ରମାଣ ଦେଖିବାକୁ ମିଳିଛି ବ୍ରହ୍ମପୁରରେ ଗୋଷାଣୀ ନୂଆଗାଁ ଅଞ୍ଚଳରେ। ବ୍ରହ୍ମପୁରର ଜଣାଶୁଣା ବିଜେଡି ନେତା ଅଲେଖ ଚୌଧୁରୀଙ୍କ ଘରେ ବ୍ୟାପିଥିବା ନିଆଁରେ ପ୍ରାଣ ହରାଇଛନ୍ତି ନିଜେ ଅଲେଖଙ୍କ ସହ ତାଙ୍କ ଶଳା ଓ ଜଣେ କେୟାର ଟେକର।

ନିମିଷକର ନିଆଁ ଅକସ୍ମାତ୍ ନେଇଗଲା ତିନି ତିନିଟି ଜୀବନ। ଗତକାଲି ରାତି ପ୍ରାୟ ୨ଟା ସମୟରେ ଅଲେଖଙ୍କ ଗୋଷାଣୀନୂଆଗାଁ ପାଣିଗ୍ରାହୀସ୍ଥିତ ଦୁଇ ମହଲା ଘରର ଉପର ମହଲାରେ ଏସି ଶର୍ଟସର୍କିଟ୍‌ରୁ ନିଆଁ ଲାଗିଯାଇଥିଲା। ଏକଥା ପ୍ରଥମେ ଅଲେଖ ଜାଣିବା ପରେ ରାତି ୨ଟା ୧୫ ମିନିଟ୍‌ରେ ନିଜେ ଫାୟାର ଷ୍ଟେସନକୁ ଫୋନ୍ ବି କରିଥିଲେ। ତାସହ ତୁରନ୍ତ ପତ୍ନୀଙ୍କୁ ପ୍ରଥମେ ଘରୁ ବାହାରକୁ ଆଣିଥିଲେ। ତେବେ ଘର ଭିତରେ ଶୋଇଥିବା କର୍କଟ ରୋଗରେ ଆକ୍ରାନ୍ତ ଶଳା ଭଗବାନ ପାତ୍ର ଓ ତାଙ୍କ କେୟାରଟେକର ସୁନୀଲ ସାହୁଙ୍କୁ ବାହାରକୁ ଆଣିବାକୁ ପୁଣି ଥରେ ପଶିଥିଲେ ଅଲେଖ। ହେଲେ କେହି ଫେରି ପାରିନଥିଲେ। କାରଣ ନିଆଁ ଓ ଧୂଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ଭଗବାନଙ୍କ ସହ ସମସ୍ତ ତିନିଜଣ ଯାକ ଅଣନିଶ୍ୱାସୀ ହୋଇ ଯାଇଥିଲେ।

 

ଦମକଳ ବାହିନୀ ସମସ୍ତଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲ ନେଇଥିଲେ ବି ସେତେବେଳକୁ ସବୁ ସରି ଯାଇଥିଲା। ଏହି ଘଟଣାରେ ବ୍ରହ୍ମପୁର ସହରବାସୀ ସ୍ତବ୍ଧ ହୋଇ ଯାଇଥିବାବେଳେ ଜଣେ ପୁରୁଖା ରାଜନେତା ହୋଇଥିବାରୁ ଅଲେଖଙ୍କ ଶେଷ ଦର୍ଶନ ପାଇଁ ବନ୍ଧୁ, ସମର୍ଥକ ଓ ନେତାଙ୍କ ଭିଡ଼ ଲାଗିଥିଲା।

 

କେତେ ଭୟଙ୍କର ହୋଇପାରେ ଏସି ସର୍ଟସର୍କିଟ୍‌ରୁ ନିଆଁ ? ବ୍ରହ୍ମପୁରରେ ତାର ପ୍ରମାଣ ମିଳିବା ପରେ ଏଥିରୁ ରକ୍ଷା ପାଇବାକୁ ଉପାୟ ବତାଇଛନ୍ତି ଇଲେକ୍ଟ୍ରିକାଲ ଇଂଜିନିୟର। ତାଙ୍କ କହିବାନୁସାରେ ଏସି ପାଇଁ ସର୍ଟସର୍କିଟ୍ ଓ ଓଭର କରେଣ୍ଟ ପ୍ରୋଟେକ୍ସନ ନିହାତି ଆବଶ୍ୟକ। ଷ୍ଟାବିଲାଇଜର ଦ୍ୱାରା ୨୬୦ରୁ ୨୭୦ ଭୋଲ୍ଟ କରେଣ୍ଟ ଏସିକୁ ମିଳିବା ଉଚିତ୍। ଭଲ ମାନର ବିଦ୍ୟୁତ୍ ତାରରେ ଏସି କନେକ୍ସନ ହେବା ଦରକାର। ତାସହ ଘର ଭିତରେ ଓ ବାହାରେ ଏସିର ଉଭୟ ଇନର ଓ ଆଉଟର ପାର୍ଟକୁ ଭଲ ଭାବେ ଫିକ୍ସ କରାନଗଲେ ଏହା ବିପଦ ସୃଷ୍ଟି କରିପାରେ।

You might also like