ବରୁଣେଇ ପାହାଡରେ ଅଗ୍ନିକାଣ୍ଡ : ନିଆଁ ଲିଭାଉଛନ୍ତି ଅଗ୍ନିଶମ କର୍ମଚାରୀ

ଖୋର୍ଦ୍ଧା : ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ନିଆଁ। ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବାବେଳେ ଆଜି ପୁଣି ବରୁଣେଇ ପାହାଡ଼ରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ପାହାଡ଼ର ଗଡ଼ଖୋର୍ଦ୍ଧା ପଟୁ ଲାଗିଛି ନିଆଁ। ଏହାକୁ ଲିଭାଇବାକୁ ଅଗ୍ନିଶମ ବାହିନୀ ଉଦ୍ୟମ କରୁଛି । ନିଆଁ ଲିଭାଇବା ପାଇଁ ଏବେ ବି ଚାରୋଟି ଟିମ୍ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି।  ତେବେ କେମିତି ଜଙ୍ଗଲରେ ନିଆଁ ଲାଗିଛି ତାହା  ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ ଆଜି କିଛି ଲୋକ ଖୋର୍ଦ୍ଧା ବରୁଣେଇ ଜଙ୍ଗଲରେ ନିଆଁ ଲାଗିଥିବାର ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ତେବେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାମ ଆରମ୍ଭ କରିଦେଇଥିଲେ। ହେଲେ ଏବେ ସୁଦ୍ଧା ନିଆଁ ଲିଭି ନାହିଁ । ଭିତରକୁ ଭିତରକୁ ନିଆଁ ଲାଗି ଚାଲିଛି। ବରୁଣେଇ ପାହାଡ଼ରେ ବାଉଁଶ ବଣ ଥିବାରୁ ଭିତରକୁ ଯାଇପାରୁନାହାନ୍ତି ଅଗ୍ନିଶମ କର୍ମଚାରୀ । ବନବିଭାଗର ଖାମଖିଆଲି ନୀତି ଯୋଗୁଁ ଆଗରୁ ଖୋଳା ହୋଇଥିବା ଟ୍ରେଞ୍ଚ ପୋତି ହୋଇଯାଇଛି। ଫଳରେ ନିଆଁ ଲିଭାଇବା କାମ ସହଜ ହୋଇପାରିନି, କି ନିଆଁକୁ ଆୟତ କରାଯାଇପାରୁନି ।

ଶିମିଳିପାଳ ନିଆଁ ଲିଭିନଥିବା ବେଳେ ବରୁଣେଇ ପାହାଡ଼ରେ ଥିବା ଜଙ୍ଗଲରେ ନିଆଁ ଲାଗିବା ଘଟଣା ଚିନ୍ତାର ବିଷୟ। କାରଣ ଏଠାରେ ମଧ୍ୟ ଅନେକ ଔଷଧୀୟ ବୃକ୍ଷ ଥିବା ସହ ବହୁପ୍ରକାର ଜୀବଜନ୍ତୁ ରହୁଛନ୍ତି। ନିଆଁ ନଲିଭିଲେ ପରିସ୍ଥିତି ଭୟାବହ ହେବାର ଆଶଙ୍କା ରହିଛି। ସେପଟେ ଆଜି ବି ରାଜ୍ୟର କେଉଁଠି ନା କେଉଁଠି ଜଳୁଛି ଜଙ୍ଗଲ। ରାଜ୍ୟବ୍ୟାପୀ ଜଳୁଥିବା ଜଙ୍ଗଲୀ ନିଆଁକୁ ନେଇ ହଜାରେ ପ୍ରଶ୍ନ ଉଠିଲାଣି।

 

You might also like