ଜଳିଗଲା ସମଲେଇ ମନ୍ଦିରର ଦୀପ ଘର

  • ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା‘ ସମଲେଶ୍ୱରୀଙ୍କ ମନ୍ଦିର ପରିସରରେ ଅଗ୍ନିକାଣ୍ଡ
  • ବିଳମ୍ବିତ ରାତିରେ ଜଳିଗଲା ଦୀପ ଘର
  • ବିଦ୍ୟୁତ୍‌ ସର୍ଟ ସର୍କିଟ ଯୋଗୁ ନିଆ ଲାଗି ଥାଇପାରେ ବୋଲି ସନ୍ଦେହ
  • ପୂର୍ବରୁ କେବେ ବି ଦୀପ ଘରେ ଅଗ୍ନିକାଣ୍ଡ ଘଟି ନ ଥିଲା

ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା‘ ସମଲେଶ୍ୱରୀଙ୍କ ମନ୍ଦିର ପରିସରରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ମନ୍ଦିର ଭିତରେ ଥିବା ଦୀପ ଘରେ କୌଣସି କାରଣରୁ ନିଆଁ ଲାଗି ଦୀପ ଘର ଜଳି ଯାଇଥିଲା। ଦୀପ ଘରେ ଜଳୁଥିବା ଦୀପ ଗୁଡ଼ିକ ଜଳି ଯିବା ସହ ସେଠାରେ ରଖା ଯାଇଥିବା ଅନ୍ୟାନ୍ୟ ପୂଜା ସାମଗ୍ରୀ ଓ ଘିଅ ମଧ୍ୟ ଜଳି ଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସୂଚନା ଅନୁସାରେ, ରାତି ପ୍ରାୟ ୨ଟା ସମୟରେ ଦୀପ ଘରେ ନିଆଁ ଜଳୁଥିବାର ଜଣେ ସେବାୟତ ଦେଖିଥିଲେ। ଏହାପରେ ସେ ଏସମ୍ପର୍କରେ ଅନ୍ୟମାନଙ୍କୁ ଜଣାଇଥିଲେ। ମନ୍ଦିର ଚାବି ଖୋଲି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ହେଲେ ସେତେବେଳକୁ ଦୀପ ଘରେ ଜଳୁଥିବା ସବୁ ଦୀପ ଓ ଅନ୍ୟାନ୍ୟ ସାମଗ୍ରୀ ଜଳି ଯାଇଥିଲା। ତେବେ ମୁଖ୍ୟ ମନ୍ଦିରର କୌଣସି କ୍ଷତି ହୋଇ ନ ଥିବା ସୂଚନା ମିଳିଛି।

ଅଗ୍ନିକାଣ୍ଡର ନିର୍ଦ୍ଦିଷ୍ଟ କାରଣ ଜଣାପଡିନଥିଲେ ମଧ୍ୟ ବିଦ୍ୟୁତ୍‌ ସର୍ଟ ସର୍କିଟ ଯୋଗୁ ନିଆ ଲାଗି ଥାଇପାରେ ବୋଲି ମୁଖ୍ୟ ପୂଜକ କହିଛନ୍ତି। ପୂର୍ବରୁ କେବେ ବି ଦୀପ ଘରେ ଅଗ୍ନିକାଣ୍ଡ ଘଟି ନ ଥିଲା ବୋଲି ସୂଚନା ମିଳିଛି। ମା’ ସମଲେଶ୍ୱରୀଙ୍କ ଆସ୍ଥାନର ସମ୍ମୁଖ ଭାଗରେ ରହିଛି ସ୍ୱତନ୍ତ୍ର ଦୀପ ଘର। ଦୀପ ଘରେ ସବୁ ବେଳେ ବହୁ ସଂଖ୍ୟକ ମାନସିକ ଦୀପ ଜଳୁଥାଏ।

You might also like