କଟକ(ଦେବାଶିଷ ମହାନ୍ତି): ଚଳନ୍ତା ଘର ଭିତରୁ ଗୁରୁତର ଅବସ୍ଥାରେ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। କଟକ ମାନସିଂପାଟଣାରେ ଜଳୁଥିବା ଏକ ଘର ଭିତରୁ ଯୁବତୀ ଜଣଙ୍କୁ ଉଦ୍ଧାର କରାଯାଇଛି। ଘର ଭିତରୁ ଉଦ୍ଧାର ଯୁବତୀଙ୍କ ହାତଗୋଡ଼ ବନ୍ଧା ଯାଇଥିବା ଦେଖାଯାଇଛି। ଗୁରୁତର ଯୁବତୀଙ୍କୁ SCB ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଯୁବତୀ ସ୍ଥାନୀୟ ଏକ କଲେଜର ଛାତ୍ରୀ ସେ ଭଡ଼ାଘରେ ରହୁଥିଲେ।

ଘର ମାଲିକଙ୍କ କହିବା କଥା, ଯୁବତୀଙ୍କ ଘର ଜଗତସିଂହପୁର ତିର୍ତ୍ତୋଲରେ। ବାପାମାଆଙ୍କ ସହ ଏଠାରେ ରହୁଥିଲେ। ତେବେ ଘଟଣା ସମୟରେ ଯୁବତୀଙ୍କ ବାପା, ମାଆ ଅନୁପସ୍ଥିତ ଥିଲେ। ଯୁବତୀଙ୍କ କହିବା କଥା, ଘରକୁ ୪ ଦୁର୍ବୃତ୍ତ ପଶି ଏମିତି କାଣ୍ଡ ଭିଆଇଥିଲେ। ତେବେ କିଏ ଓ କାହିଁକି ଏପରି କାଣ୍ଡ ଭିଆଇଲେ, ସେନେଇ କିନ୍ତୁ ସ୍ପଷ୍ଟ ହୋଇପାରିନି।

ଏପଟେ ଗୁରୁତର ଯୁବତୀଙ୍କ ସମ୍ପର୍କୀୟଙ୍କ କହିବାନୁଯାୟୀ, ଝିଅଟିକୁ ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଇଛି। ସେ ରହୁଥିବା ଘରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି। ଏମିତିକି ପୂର୍ବରୁ ଯୁବତୀଙ୍କୁ ହତ୍ୟା କରାଯିବା ନେଇ ଧମକ ଚମକ ଦିଆଯାଇଥିଲା। କିଛି ଦିନ ପୂର୍ବରୁ ଜଣେ ଯୁବକଙ୍କ ସହ ପୀଡିତା ଯୁବତୀଙ୍କ ଏକ ଫଟୋ ଭାଇରାଲ ହୋଇଥିଲା। ଏନେଇ ଲାଲବାଗ ଥାନାରେ ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ଖୋଳତାଡ କରିଥିଲା।

ସେଇ ଝିଅଟି ଦେଢ ବର୍ଷ ହୋଇଯିବ, ଘରେ ଭଡା ରହିଛନ୍ତି। ଆଜି ପର୍ଯ୍ୟନ୍ତ ଏମିତି କୌଣସି ଅସୁବିଧା ହୋଇନଥିଲା, ଆଜି ପ୍ରଥମଥର ପାଇଁ ଏପରି ଘଟଣା ଘଟିଛି। ସେ ଖ୍ରୀଷ୍ଟ କଲେଜର ଯୁକ୍ତ ୨ ଶ୍ରେଣୀର ଛାତ୍ରୀ। ଶୁଣିବାକୁ ମିଳୁଛି ଯେ, ତାକୁ କିଛି ଦିନ ଧରି ଧମକ ଦେଇଆସୁଥିଲେ। କିନ୍ତୁ ମୁଁ ସେଇ ବିଷୟରେ ଜାଣିନାହିଁ। ୪ ଜଣ ଦିନ ୧୧ଟା ବେଳେ ଘର ଭିତରକୁ ପଶିଛନ୍ତି। ଘରେ ପଶିକି ସେମାନେ ମାଡ଼ ମାରିଛନ୍ତି। ସେମାନେ ଘରେ ପଶିବା କେହିବି ଜାଣିନାହାନ୍ତି। ତାପରେ ଜୋର ଜବରଦସ୍ତି ଗୋଡ଼ ବାନ୍ଧି କିରାସିନି ଢାଳି ନିଆଁ ଲଗାଇଦେଇଛନ୍ତି। ପରେ ଇଂଜେକ୍ସନ ଦେଇ ବାହାରି ପଳାଇଛନ୍ତି।
-ଶୁଭଶ୍ରୀ ସେଠୀ, ଘର ମାଲିକାଣୀ
ସମ୍ପୃକ୍ତ ଝିଅର ଅବସ୍ଥା ବହୁତ ଭଲ ରହିଛି। ଝିଅଟି ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଏସ୍‌ସିବିରେ ରହିଛନ୍ତି। ତଦନ୍ତ ପରେ ଘଟଣା କଣ ତାହା ଜଣାପଡିବ।
-ଏସ୍‌ ଏନ୍‌ ମୁଦୁଲି, ଏସିପି
ଝିଅକୁ ମରଣାନ୍ତକ ଆକ୍ରମଣ ହୋଇଛି। ତା ସାଙ୍ଗରେ କିଏ କିଏ ଆସିଥିଲେ, ଝିଅର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ହିଁ କଥା ଜଣାପଡ଼ିବ। କିନ୍ତୁ ତାଙ୍କୁ ଜୀବନରୁ ମାରିଦେବା ପାଇଁ ହିଁ ଆକ୍ରମଣ କରାଯାଇଛି। କିରାସିନି ଢାଳି ପୁରା ଘରଟାକୁ ନିଆଁ ଲଗାଇ ଦେଇଛନ୍ତି। ଏମିତିକି ଶରୀରର ଅନେକ ସ୍ଥାନକୁ ବାଡେଇଛନ୍ତି।
-ଅଶ୍ୱିନୀ ପଣ୍ଡା, ପୀଡିତାଙ୍କ ମଉସା

https://www.youtube.com/watch?v=w6gc7_vwOLI

Other Stories