ଶିମିଳିପାଳ ଜଙ୍ଗଲରେ ପୁଣି ଲାଗିଛି ନିଆଁ

ଶିମିଳିପାଳରେ ନିଆଁ

  • ଶିମିଳିପାଳରେ ନିଆଁ
  • ଶିମିଳିପାଳ ଅଭୟାରଣ୍ୟରେ ପୁଣି ନିଆଁ ଲାଗିଥିବା ସୂଚନା
  • ଶିମିଳିପାଳ ଦକ୍ଷିଣ ଡିଭିଜନର ୪୭ଟି ସ୍ଥାନରେ ଲାଗିଛି ନିଆଁ
  • ସାଟେଲାଇଟ ସୂତ୍ରରୁ ନିଆଁ ଲାଗିଥିବା ଜଣାପଡ଼ିଛି
  • ପୋଡାଡିହା ଓ ଡୁକୁରା ରେଞ୍ଜର ଜଙ୍ଗଲରେ ଲାଗିଛି ନିଆଁ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ପୁଣି ନିଆଁ ଲାଗିଛି। ଶିମିଳିପାଳ ଦକ୍ଷିଣ ଡିଭିଜନର ୪୭ଟି ସ୍ଥାନରେ ନିଆଁ ଲାଗିଛି। ଏନେଇ ସାଟେଲାଇଟ୍ ସୂତ୍ରରୁ ଜଣାପଡିଥିବା ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି। ଖରାର ତାତି ସାଙ୍ଗକୁ ଜଙ୍ଗଲର ନିଆଁ ଓ ଧୂଆଁରେ ଶିମିଳିପାଳ ପାଦ ଦେଶରେ ଥିବା ଲୋକେ ଅତିଷ୍ଠ ହୋଇ ପଡିଲେଣି। ପୋଡାଡିହା ରେଞ୍ଜର ଅନନ୍ତପୁର ଓ ବାଲିନାଳ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ବନ ବନବିଭାଗ ନିଆଁ ଲିଭାଇବା ଲାଗି ଉଦ୍ୟମ ଜାରି ରିଖିଛି। ସେପଟେ ଡୁକୁରା ରେଞ୍ଜର ମାଣିକପୁର ଓବାଲମା ଜଙ୍ଗଲର ମଧ୍ୟ ଭାଗରେ ବି ନିଆଁ ଲାଗିଥିବା ସୂଚନା ମିଳିଛି।

ସେପଟେ, ରାଜ୍ୟର ଅନ୍ୟ ଅଞ୍ଚଳ ଭଳି ଏବେ ସମ୍ବଲପୁରକୁ ଡେଇଁଛି ଜଙ୍ଗଲୀ ନିଆଁ। ସମ୍ବଲପୁର ସହର ନିକଟ ବ୍ରିକ୍ସ ହିଲରେ ନିଆଁ ଲାଗିଛି। ଭୟାବହ ଅଗ୍ନିକାଣ୍ଡର ଚିତ୍ର ଏବେ ସାମ୍ନାକୁ ଆସିିଛି। ନିଆଁର ମାତ୍ରା ଏତେ ଅଧିକ ଯେ, ଏହାକୁ ଆୟତ କରିବାକୁ ବନ ବିଭାଗକୁ ନାକେଦମ ହେବାକୁ ପଡ଼ିଛି।

ରାଜ୍ୟବ୍ୟାପି ଜଳୁଥିବା ଜଙ୍ଗଲୀ ନିଆଁକୁ ନେଇ ହଜାରେ ପ୍ରଶ୍ନ ଉଠିଲାଣି। କିଏ ଲଗାଇଲା ନିଆଁ ?କାହିଁକି ଜଳିପୋଡ଼ି ପାଉଁଶ ହେଉଛି ଅଭୟାରଣ୍ୟ ? ନିଆଁ ଲଗାଇବାର ପ୍ରମୁଖ କାରଣ କଣ ? ଏମିତି ଏକାଧିକ ପ୍ରଶ୍ନ ଭିତରେ ଗ୍ରାଉଣ୍ଡ ଜିରୋକୁ ଯାଇ ଶିମିଳିପାଳରେ ସ୍ଥିତି ପରଖିଥିଲା ଓଟିଭି ଟିମ୍। ଦିନେ ସବୁଜିମାରେ ଝଟକୁଥିଲା ଶିମିଳିପାଳ ଅଭୟାରଣ୍ୟ, ଆଜି କିନ୍ତୁ ଶ୍ରୀହୀନ ହୋଇପଡ଼ିଛି। ଆପଣ ଯୁଆଡ଼େ ଚାହିଁବେ କେବଳ ପାଉଁଶ ଆଉ ଅଙ୍ଗାରମୟ ଧୂଳି, ଧୂଆଁ ଆଉ ଧୂସର ଚିତ୍ର ଦେଖିବେ। ଏବେ ଏଠି, ସେଇଠି, ସବୁଠି କେବଳ ଦେଖାଯାଉଛି କିଛି ଏପରି ଚିତ୍ର।

ତେବେ କାହିଁକି ଜଳିପୋଡ଼ି ଶ୍ରୀହୀନ ହେଉଛି ସୁନ୍ଦରୀ ଶିମିଳିପାଳ ? ଏସିଆର ଦ୍ୱିତୀୟ ବୃହତ ଜୈବମଣ୍ଡଳର ଏଭଳି ଦୁର୍ଦ୍ଦଶା ପଛରେ ଦାୟୀ କିଏ ? କଣ ହୋଇପାରେ ସମ୍ଭାବ୍ୟ କାରଣ ? ତେବେ ହୁତୁହୁତୁ ହୋଇ ଜଳିପୋଡ଼ି ଛାର୍‌ଖାର ହୋଇଯାଉଛି ସାରା ଓଡ଼ିଶାର ଜଙ୍ଗଲ। ଭୟଙ୍କର ଅବସ୍ଥା। ଅସମ୍ଭାଳ ହୋଇପଡ଼ିଲାଣି ସ୍ଥିତି। ଏ ମୁଣ୍ଡରୁ ସେମୁଣ୍ଡ ଯୁଆଡ଼େ ଚାହିଁବେ ଖାଲି ନିଆଁ ଆଉ ନିଆଁ। ନିଆଁ ଆଉ ଧୂଆଁରେ ଆକ୍ତାମାକ୍ତା ଜୀବଜନ୍ତୁ, ଉଜୁଡ଼ି ଯାଉଛି ସବୁଜିମା। ତେବେ ଆଜିର ନିଆଁ କିଏ ଲଗାଇଛି ଓ କେଉଁ କାରଣରୁ ଲାଗିଛି ତାହା ସମ୍ପର୍କରେ କୌଣସି ତଥ୍ୟ ମିଳିପାରିନାହିଁ।

You might also like