ପୁଣି ଶିମିଳିପାଳରେ ଜଙ୍ଗଲରେ ଲାଗିଛି ନିଆଁ

ଶିମିଳିପାଳରେ ନିଆଁ

  • ଶିମିଳିପାଳରେ ନିଆଁ
  • ଶିମିଳିପାଳ ଅଭୟାରଣ୍ୟରେ ପୁଣି ନିଆଁ ଲାଗିଥିବା ସୂଚନା
  • ଜଙ୍ଗଲର ୫୨ଟି ସ୍ଥାନରେ ଲାଗିଛି ନିଆଁ
  • ବରେଇପାଣି, ଚୋହଲା, ଗୁରୁଗୁଡ଼ିଆ ଏବଂ କେନ୍ଦୁମୁଣ୍ଡି ରେଞ୍ଜର ବହୁ ଜାଗାରେ ନିଆଁ ଲାଗିଛି
  • ପୋଡାଡିହା ଓ ଡୁକୁରା ରେଞ୍ଜର ଜଙ୍ଗଲରେ ଲାଗିଛି ନିଆଁ

ମୟୂରଭଞ୍ଜ: ପୁଣି ଜଳୁଛି ଶିମିଳିପାଳ। ବିଭିନ୍ନ ରେଞ୍ଜର ୫୨ଟି ଜାଗାରେ ନିଆଁ ଲାଗିଛି, ଫଳରେ ପରିବେଶ ଧୂଆଁମୟ ହୋଇଯାଇଛି। ସେହିପରି ଜଙ୍ଗଲ ନିଆଁ ଯୋଗୁଁ ପ୍ରବଳ ଗରମ ଅନୁଭୂତ ହେଉଛି। ଶିମିଳିପାଳ ଅଭୟାରଣ୍ୟର ନଅଣା ରେଞ୍ଜର ପଣ୍ଡାବନ୍ଧା ଓ ଚମ୍ପାପୁଲିଆର ବହୁ ଜାଗାରେ ନିଆଁ ଲାଗିଛି। ସେହିପରି ବରେଇପାଣି, ଚୋହଲା, ଗୁରୁଗୁଡ଼ିଆ ଏବଂ କେନ୍ଦୁମୁଣ୍ଡି ରେଞ୍ଜର ବହୁ ଜାଗାରେ ନିଆଁ ଲାଗିଛି। ଗତ କିଛି ଦିନ ହବ ଓଡ୍ରାଫ, ଅଗ୍ନିଶମ ବିଭାଗ ଓ ବନବିଭାଗର ୧ହଜାରରୁ ଅଧିକ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ମୁତୟନ ଥିଲେ ବି ନିଆଁ ଆୟତ୍ତ ହୋଇପାରିନି। ଗୋଟିଏ ଜାଗାରେ ନିଆଁ ଲିଭିଲେ ଆଉ ଗୋଟେ ଜାଗାରେ ନିଆଁ ଲାଗୁଛି ବୋଲି ସୂଚନା ମିଳିଛି।

ରାଜ୍ୟବ୍ୟାପି ଜଳୁଥିବା ଜଙ୍ଗଲୀ ନିଆଁକୁ ନେଇ ହଜାରେ ପ୍ରଶ୍ନ ଉଠିଲାଣି। କିଏ ଲଗାଇଲା ନିଆଁ ?କାହିଁକି ଜଳିପୋଡ଼ି ପାଉଁଶ ହେଉଛି ଅଭୟାରଣ୍ୟ ? ନିଆଁ ଲଗାଇବାର ପ୍ରମୁଖ କାରଣ କଣ ? ଏମିତି ଏକାଧିକ ପ୍ରଶ୍ନ ଭିତରେ ଗ୍ରାଉଣ୍ଡ ଜିରୋକୁ ଯାଇ ଶିମିଳିପାଳରେ ସ୍ଥିତି ପରଖିଥିଲା ଓଟିଭି ଟିମ୍। ଦିନେ ସବୁଜିମାରେ ଝଟକୁଥିଲା ଶିମିଳିପାଳ ଅଭୟାରଣ୍ୟ, ଆଜି କିନ୍ତୁ ଶ୍ରୀହୀନ ହୋଇପଡ଼ିଛି। ଆପଣ ଯୁଆଡ଼େ ଚାହିଁବେ କେବଳ ପାଉଁଶ ଆଉ ଅଙ୍ଗାରମୟ ଧୂଳି, ଧୂଆଁ ଆଉ ଧୂସର ଚିତ୍ର ଦେଖିବେ। ଏବେ ଏଠି, ସେଇଠି, ସବୁଠି କେବଳ ଦେଖାଯାଉଛି କିଛି ଏପରି ଚିତ୍ର।

ତେବେ କାହିଁକି ଜଳିପୋଡ଼ି ଶ୍ରୀହୀନ ହେଉଛି ସୁନ୍ଦରୀ ଶିମିଳିପାଳ ? ଏସିଆର ଦ୍ୱିତୀୟ ବୃହତ ଜୈବମଣ୍ଡଳର ଏଭଳି ଦୁର୍ଦ୍ଦଶା ପଛରେ ଦାୟୀ କିଏ ? କଣ ହୋଇପାରେ ସମ୍ଭାବ୍ୟ କାରଣ ? ତେବେ ହୁତୁହୁତୁ ହୋଇ ଜଳିପୋଡ଼ି ଛାର୍‌ଖାର ହୋଇଯାଉଛି ସାରା ଓଡ଼ିଶାର ଜଙ୍ଗଲ। ଭୟଙ୍କର ଅବସ୍ଥା। ଅସମ୍ଭାଳ ହୋଇପଡ଼ିଲାଣି ସ୍ଥିତି। ଏ ମୁଣ୍ଡରୁ ସେମୁଣ୍ଡ ଯୁଆଡ଼େ ଚାହିଁବେ ଖାଲି ନିଆଁ ଆଉ ନିଆଁ। ନିଆଁ ଆଉ ଧୂଆଁରେ ଆକ୍ତାମାକ୍ତା ଜୀବଜନ୍ତୁ, ଉଜୁଡ଼ି ଯାଉଛି ସବୁଜିମା। ତେବେ ଆଜିର ନିଆଁ କିଏ ଲଗାଇଛି ଓ କେଉଁ କାରଣରୁ ଲାଗିଛି ତାହା ସମ୍ପର୍କରେ କୌଣସି ତଥ୍ୟ ମିଳିପାରିନାହିଁ।

ସେପଟେ ଜଙ୍ଗଲରେ ନିଆଁ ଲଗାଇ ଶିକାର ବେଳେ ୬ ଶିକାରୀ ଗିରଫ ହେଲେ, କେନ୍ଦୁମୁଣ୍ଡି ଡୁମୁରୁଡିହା ସଂରକ୍ଷିତ ଜଙ୍ଗଲରୁ ଗିରଫ କଲା ବନ ବିଭାଗ; ଶିକାରୀଙ୍କ ନିକଟରୁ ୧୨ କେଜି କୁଟୁରା ମାଂସ ସହ ଧନୁ ତୀର ଜବତ ହୋଇଛି।

 

You might also like