ଭୁବନେଶ୍ୱର: ଦେଶର ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେବା ଅଭିଯୋଗରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ଥାନାରେ ମାମଲା। ଯୁବ କଂଗ୍ରେସ ପକ୍ଷରୁ ଆଜି ଦିଲ୍ଲୀରୁ ନେଇ ଭୁବନେଶ୍ୱର ପର୍ଯ୍ୟନ୍ତ ତାଙ୍କ ବିରୋଧରେ ଏତଲା ଦାଏର ହୋଇଛି।
ଶିଖ୍ ଦଙ୍ଗା ପାଇଁ ରାଜୀବ ଗାନ୍ଧି ଓ କାଶ୍ମୀର ସମସ୍ୟା ପାଇଁ ନେହରୁଙ୍କୁ ଦାୟୀ କରିଥିବା ଟ୍ୱିଟ୍ ନେଇ ଆପତ୍ତି ଉଠାଇଛି। ଏପରିକି ସମ୍ବିତ ଦୁଇ ପ୍ରଧାନମନ୍ତ୍ରୀଙ୍କ ଫଟୋ ସହ ସମ୍ମାନହାନିସୂଚକ ଟ୍ୱିଟ୍ କରିଥିବା କଂଗ୍ରେସ ଅଭିଯୋଗ କରିଛି।
କରୋନା ମୁକାବିଲା ନେଇ କଂଗ୍ରେସ ସରକାର ଥିଲେ କଣ ହୋଇଥାନ୍ତା ବୋଲି ମଧ୍ୟପ୍ରଦେଶ କଂଗ୍ରେସ ଦୁଇ ଦିନ ତଳେ ଟ୍ୱିଟ୍ କରିବା ପରେ ସମ୍ବିତ୍ କଂଗ୍ରେସ ସରକାର ଥିଲେ କିଭଳି ଦୁର୍ନୀତି ବ୍ୟାପିଥାନ୍ତା ବୋଲି ଜବାବ୍ ଦେବା ପରେ ବିବାଦ ଆରମ୍ଭ ହୋଇଥିଲା।
ତେବେ ଯୁବ କଂଗ୍ରେସ ଏବେ ସମ୍ବିତଙ୍କୁ ଗିରଫ କର ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ସମ୍ବିତ ତାଙ୍କ ବୟାନରେ କାଏମ୍ ରହିବା ସହ ଆଜି ଶିଖ୍ ଦଙ୍ଗା ସନ୍ଦର୍ଭରେ ରାଜୀବ ଗାନ୍ଧିଙ୍କ ପୁରୁଣା ଭିଡିଓକୁ ଟୁଇଟ୍ କରିଛନ୍ତି। ଯେଉଁଥିରେ ରାଜୀବ ବଡ଼ ଗଛ ପଡ଼ିଲେ ମାଟି କିଛି ପରିମାଣର ଥରିଥାଏ ବୋଲି ଶୁଣିବାକୁ ମିଳୁଛି।