ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ବିରୋଧରେ ଥାନାରେ ଏତଲା
ନୟାଗଡ଼:ପରୀ ହତ୍ୟାକାଣ୍ଡ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ପରୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଛି ଏବଂ ତା ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି ବୋଲି ତଦନ୍ତ କରୁଥିବା SIT ମୁଖ୍ୟ ଅରୁଣ ବୋଥ୍ରା କହୁଥିବାବେଳେ ଏବେ ବୋଥ୍ରାଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ଅଭିଯୁକ୍ତଙ୍କ ପରିବାର ଲୋକେ।
ଗତକାଲି ପରୀ ହତ୍ୟା ମାମଲାର ତଦନ୍ତ କରୁଥିବା SIT ଟିମ୍ ସରୋଜ ସେଠୀଙ୍କୁ ଗିରଫ କରିଛି। ସେ ହିଁ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଦାବି କରିଛି SIT । କିନ୍ତୁ ଏହାକୁ ବିରୋଧ କରିଛନ୍ତି ସରୋଜଙ୍କ ପରିବାର ଲୋକେ।
‘ମୋ ପୁଅକୁ ଫସାଇ ଦେଇଛନ୍ତି। ମୋ ପୁଅ ନିର୍ଦ୍ଦୋଷ। ତାକୁ ନେଇ ମାଡ ମାରୁଛନ୍ତି। ଡେମୋ ଦେଖାଇବା ବାହାନାରେ ପୁଅକୁ ଘରକୁ ଆଣି ମାଡ଼ ସହିତ ମିଛ ଡେମୋ ଦେଖାଇବାକୁ ବାଧ୍ୟ କରୁଛନ୍ତି’ ଏମିତି ଅଭିଯୋଗ ଆଣିଛନ୍ତି ଗିରଫ ଅଭିଯୁକ୍ତ ସରୋଜ ସେଠୀଙ୍କ ମା’ ଶୈଳବାଳା ସେଠୀ।
ଏ ନେଇ ଶୈଳବାଳା ଗତକାଲି SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ବିରୋଧରେ ନୟାଗଡ଼ ସଦର ଥାନାରେ ଏତଲା ଦେଇଛନ୍ତି । ଅରୁଣ ବୋଥ୍ରା ପୁଅକୁ ମାଡ଼ ମାରିବା ସହିତ ପରୀ କେସ୍ରେ ଫସାଇ ଦେଇଥିବା ଅଭିଯୋଗ କରିଛନ୍ତି । ସେତିକି ନୁହେଁ ବୋଥ୍ରା ତାଙ୍କୁ ମଧ୍ୟ ଗାଳି ଗୁଲଜ କରୁଛନ୍ତି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି।
ଏଠି କହିରଖିବୁ, ପରୀ ମାମଲା ଦିନକୁ ଦିନ ବିବାଦୀୟ ମୋଡ ନେଉଛି। ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀଙ୍କୁ ଗିରଫ କରିଛି ବୋଲି SIT ଦାବି କରୁଥିବାବେଳେ ସରୋଜ, ସରୋଜଙ୍କ ମା’ ଏପରିକି ପରୀର ବାପା ମଧ୍ୟ ଏହାକୁ ଖଣ୍ଡନ କରିଛନ୍ତି।
ଅନ୍ୟପକ୍ଷେ ସରୋଜ ସେଠୀକୁ ସାବାଳକ ଦର୍ଶାଇ ଗତକାଲି କୋର୍ଟ ହଜାର କରାଇ ରିମାଣ୍ଡରେ ନେବାକୁ ଅନୁରୋଧ କରିଥିଲା SIT। ଆଜିଠୁ ତାଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି । କୋର୍ଟ ହାଜର ପରେ ଅଭିଯୁକ୍ତକୁ ନୟାଗଡ଼ ସବଜେଲ୍ ନିଆଯାଇଛି। ହେଲେ କୋର୍ଟ ପରିସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଭିଯୁକ୍ତ ସରୋଜ ଆକୁଳ ନିବେଦନ କରି କହିଛି, ମୁଁ କିଛି କରିନି, ମୁଁ ସଂପୂର୍ଣ୍ଣ ନିର୍ଦ୍ଦୋଷ। ମୋ ପାଇଁ କିଛି କରନ୍ତୁ …।
ଯଦୁପୁରରେ ଯୋଜନା ଥିଲା ଯେଉଁ ଜଳାଶୟରୁ ପରୀର ଅଂଶ ବିଶେଷ ମିଳିଥିଲା, ସେଠାରେ ପାଣିକୁ ଶୁଖାଇବା ସହ ସଂପୃକ୍ତ ଅଭିଯୁକ୍ତ କେମିତି ଅପରାଧ ଭିଆଇଲା, ତାହାର ଡେମୋ ଦେଖାଇବ । ପାଣି କାଢ଼ିବା ପାଇଁ ଦମକଳ ବି ପହଞ୍ଚିଥିଲା, ପୋଲିସ ଫୋର୍ସ ବି ମହଜୁଦ ଥିଲା। କିନ୍ତୁ ହୋଇପାରିଲାନି ଡେମୋ। ତେବେ ଆଜି ପୋଖରୀରୁ ଜଳ ନିଷ୍କାସନ ଆରମ୍ଭ ହୋଇଛି।
ଏସବୁ ଭିତରେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ସ୍ପଷ୍ଟ କରିଛନ୍ତି ଯେ, ଗିରଫ ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି। ଯୌନ ନିର୍ଯାତନାରୁ ହିଁ ହତ୍ୟା ଘଟିଛି ଏବଂ ସଂପୃକ୍ତ ବ୍ୟକ୍ତି ହିଁ ମୁଖ୍ୟ ଅଭିଯୁକ୍ତ। ଏହି ମାମଲାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ତଦନ୍ତ କରାଯିବ। ରିମାଣ୍ଡରେ ନେଇ ସବୁ ଖୋଳତାଡ଼ କରାଯିବ ବୋଲି କହିଛନ୍ତି ବୋଥ୍ରା।