୧୦୪କୁ ଫେକ୍ କଲ କରିଥିବା ୩୮ ଜଣଙ୍କ ନାଁରେ ଏତଲା

ଭୁବନେଶ୍ୱର: କରୋନା ସଂପର୍କିତ ତଥ୍ୟ ଦେବାକୁ ସରକାରଙ୍କ ହେଲ୍ପଲାଇନ ନମ୍ବର ୧୦୪କୁ ଫେକ୍ କଲ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଏତଲା। ୧୦୪ ପରିଚାଳନାକାରୀ ଜିକିଜା ହେଲ୍‌ଥ କେୟାର ପକ୍ଷରୁ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦିଆଯାଇଛି। ମୋଟ ୩୮ ଜଣ ଫେକ୍ କଲର୍‌ଙ୍କ ନାଁରେ ଏତଲା ଦିଆଯାଇଛି।

କେଉଁ ନମ୍ବରରୁ କେତେଥର କଲ୍ ହୋଇଛି, ସେସବୁର ପୂର୍ଣ୍ଣ ତଥ୍ୟ ସହ ଏତଲା ହୋଇଛି। ଗୋଟେ ଗୋଟେ ନମ୍ବରରୁ ବହୁ ବାର, ଏମିତିକି ଗୋଟିଏ ନମ୍ବରରୁ ୨୭୯ ଥର କଲ୍ ହୋଇଥିବା ମଧ୍ୟ ଏତଲାରେ ଉଲ୍ଲେଖ କରାଯାଇଛି। ଏଥି ସହ ଅଭିଯୁକ୍ତଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲାରେ ଅପିଲ କରାଯାଇଛି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ହେଲ୍ପଲାଇନ୍‌ ନମ୍ବର ୧୦୪କୁ ଗତ କିଛି ଦିନ ଧରି କିଛି ଯୁବକ ବିନା କାରଣରେ ବାରମ୍ବାର କଲ୍ କରି ହଇରାଣ କରୁଥିଲେ। ଏପରିକି କିଛି ବ୍ୟକ୍ତି  ଅସଭ୍ୟ ଭାଷା ପ୍ରୟୋଗ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। OTVରେ ଏ ସଂପର୍କରେ ଖବର ପ୍ରସାରଣ ପରେ ଚର୍ଚ୍ଚା ବଢ଼ିଥିଲା।

You might also like