କାଲିଠାରୁ ମହଙ୍ଗା ପଡ଼ିପାରେ ବିନା ହେଲମେଟ୍‌ରେ ବାଇକ୍ ଚଳାଇବା

ଭୁବନେଶ୍ୱର: କାଲିଠାରୁ ମହଙ୍ଗା ପଡ଼ିପାରେ ବିନା ହେଲମେଟ୍‌ରେ ବାଇକ୍ ଚଳାଇବା। ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଇ ଧରାପଡ଼ିଲେ ହଜାରେ ଟଙ୍କା ଜରିମାନା ସହ ୩ ମାସ ଯାଏ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ।

ଏହାସହ ପଛରେ ବସିବା ଲୋକଙ୍କ ପାଇଁ ମଧ୍ୟ ହେଲମେଟ୍ ବାଧ୍ୟତାମୂଳକ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏହି ନିୟମକୁ ଲାଗୁ କରିବାକୁ ରାଜ୍ୟ ପୋଲିସ ଏବଂ ପରିବହନ କମିଶନର ତତ୍ପରତା ପ୍ରକଶା କରିଛନ୍ତି। ପୂର୍ବରୁ ପରିବହନ ବିଭାଗ ସଚିବ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ଅମାନିଆ ଚାଳକଙ୍କ ଲାଇସେନ୍ସ ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୯ରେ ହେଲ୍‌ମେଟ୍ ଆଇନର ଉଲ୍ଲଘଂନ ପାଇଁ ବହୁ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଥିଲା। ଗତବର୍ଷ ୧୧ ହଜାର ୬୪ଟି ସଡ଼କ ଦୁର୍ଘଟଣା ମଧ୍ୟରୁ ୪ ହଜାର ୬ଶହ ୮୮ଟି ସଡ଼କ ଦୁର୍ଘଟଣାରେ ଦୁଇ ଚକିଆ ଯାନ ଥିଲା। ଏଥିରେ ୨ହଜାର ୧୫୬ ଜଣଙ୍କ ମୃତ୍ୟୁ ହୋଇଥିଲା। କେବଳ ହେଲ୍‌ମେଟ୍ ପିନ୍ଧି ନ ଥିବାରୁ ଏହି ଦୁର୍ଘଟଣା ଘଟିଥିଲା। ଯଦି ଗାଡ଼ି ଚଳାଉଥିବା ସମୟରେ ଏମାନେ ହେଲ୍‌ମେଟ୍‌ ପିନ୍ଧିଥାନ୍ତେ, ହୁଏତ ଅନେକଙ୍କ ଜୀବନ ରକ୍ଷା ହୋଇପାରିଥାନ୍ତା ବୋଲି ଚିଠିରେ ଦର୍ଶାଇଛନ୍ତି ପରିବହନ ସଚିବ।

ଏମ୍‌ଭି ଆକ୍ଟ ୧୯୪-ଡି ଅନୁଯାୟୀ ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ସହ ଅମାନିଆଙ୍କ ଡିଏଲ୍(ଡ୍ରାଇଭିଂ ଲାଇସେନ୍ସ) ବାତିଲ କରାଯାଉ ବୋଲି ପରିବହନ ସଚିବ ଡିଜିପିଙ୍କୁ ଚିଠି ଲେଖିଥିଲେ।

You might also like