ବିନା କାମରେ ଗାଡି ଧରି ବୁଲିଲେ ଗଣିବେ ତଣ୍ଡ

ଭୁବନେଶ୍ୱର: କରୋନା ସଂକ୍ରମଣର ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ୱର। ରାଜ୍ୟର ୬୦  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାର ଅଛନ୍ତି ୪୬ ଜଣ । ‌ଏହାକୁ ଦୃଷ୍ଟିରେ ରଖି ବୁଧବାର ଖୋର୍ଦ୍ଧା ଜିଲ୍ଲାକୁ କରୋନା ହଟ୍‌ସ୍ପଟ୍‌ ଜିଲ୍ଲା ଭାବେ ଘୋଷଣା କରାଯାଇଥିଲା। ଏହି ହଟସ୍ପଟ ଅଞ୍ଚଳରେ ୨ୟ  ପର୍ଯ୍ୟାୟ ଲକ୍‌ଡାଉନକୁ କଡାକଡି କରାଯାଇଛି। ଘରୁ ବାହାରିବାକୁ ବାରଣ କରାଯାଇଛି। ଆବଶ୍ୟକ କାମ ପାଇଁ ବାହାରିଲେ ସୋଶିଆଲ ଡିଷ୍ଟାନ୍ସିଂ ପାଳନ କରିବାକୁ କୁହାଯାଉଛି। ତଥାପି କେତେକ ଅମାନିଆ ଏହି ନିୟମକୁ ମାନୁ ନାହାନ୍ତି।

ଏହି ଅମାନିଆଙ୍କ ପାଇଁ ସରକାର ଆହୁରି କଠୋର ପଦକ୍ଷେପ ନେଇଛନ୍ତି।  କୌଣସି କାରଣ ନଥାଇ ଘରୁ ଗାଡି କାଢି ବୁଲିଲେ ଜରିମାନା ଦେବାକୁ ପଡିବ ବୋଲି ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏହି ନିର୍ଦ୍ଦେଶନାମାରେ କୁହାଯାଇଛି, ବିନା କାରଣରେ ଘରୁ ଦୁଇ ଚକିଆ କିମ୍ବା ଚାରି ଚକିଆ ଗାଡ଼ି ଧରି ବୁଲାବୁଲି କରୁଥିଲେ ଜରିମାନା ଦେବାକୁ ପଡିବ। ଏପିଡେମିକ ଡିଜିଜ ଆକ୍ଟ ୧୮୯୭ ଏବଂ ଓଡିଶା କୋଭିଡ୍-୧୯ ନିୟାମକ ଆଇନ ୨୦୨୦ ଅନୁଯାୟୀ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୪୬ ଜଣ ଅଛନ୍ତି। କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ସୁସ୍ଥ ହୋଇଛନ୍ତି ଓ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି।

BBSR_BIKE_SEIZE_AVO_1PM_UP

You might also like