ଗଞ୍ଜାମ/ ଝାରସୁଗୁଡ଼ା: ଗଞ୍ଜାମ ଜିଲ୍ଲାରେ ପ୍ରତି ପରିବାର ସଦସ୍ୟଙ୍କର ହେବ ହେଲ୍ଥ ସ୍କ୍ରିନିଂ। ଜିଲ୍ଲାର ୭ ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ତଥା ୪୦ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟକୁ ଆସନ୍ତା ୩ଦିନ ମଧ୍ୟରେ ସଂଗ୍ରହ କରିବ ଜିଲ୍ଲା ପ୍ରଶାସନ। ଏନେଇ ଓଟିଭିକୁ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।
ଏ ନେଇ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାରଙ୍କ ସହ ବୈଠକ କରିଥିଲେ ଜିଲ୍ଲାପାଳ। ଅଙ୍ଗନବାଡ଼ି ସ୍ତରରେ ଅଞ୍ଚଳ ଚିହ୍ନଟ କରି ଏକ ଟିମ୍ ଗଠନ କରାଯିବ। ଏହି ଟିମ୍ ଘର ଘର ବୁଲି ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବ ଓ ସ୍ୱାସ୍ଥ୍ୟକୁ ନେଇ ଅତି ସହଜ କିଛି ପ୍ରଶ୍ନ ପଚାରଯିବ। ଲୋକେ ସେ ଗୁଡ଼ିକର ତଥ୍ୟ ଦେବେ।
ଯଦି କୌଣସି ପରିବାର ଠାରେ କରୋନା ସଂକ୍ରମଣର ଲକ୍ଷଣ ଦେଖାଯାଏ, ତେବେ ତତକ୍ଷଣାତ୍ ମେଡିକାଲ ଟିମ୍ ପହଞ୍ଚି ଯାଞ୍ଚ କରିବ। ରାଜ୍ୟ ଓ ଦେଶ ବାହାହରୁ ୨୮ହଜାରରୁ ଅଧିକ ଲୋକ ଗଞ୍ଜାମ ଜିଲ୍ଲାକୁ ଆସିଥିବାରୁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି।
ସେପଟେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜାରଜନଗର ପୌରାଞ୍ଚଳ, ଝାରସୁଗୁଡ଼ା ଓ ଲଇକେରା ବ୍ଲକରେ ସମସ୍ତ ପରିବାରର ସ୍ୱାସ୍ଥ୍ୟ ସ୍କ୍ରିନିଂ କରାଯିବ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଏ ନେଇ ଜିଲ୍ଲା ସ୍ୱାସ୍ଥ୍ୟ, ବ୍ଲକ ଓ ଆଇସିଡିଏସ କର୍ମଚାରୀଙ୍କୁ ନେଇ ଟିମ୍ ଗଠନ କରାଯାଇଛି। ଏହି ଅଭିଯାନ ୮ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖରେ ଶେଷ କରାଯିବ।