ଭୁବନେଶ୍ୱର : ଅାୟୁଷ୍ମାନ ଭାରତ ବନାମ୍ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବା BSKY । କେନ୍ଦ୍ର-ରାଜ୍ୟ ମଧ୍ୟରେ ଚାଲିଥିବା ଏହି ଲଢେଇ ଏବେ ଲୋକଙ୍କ ପାଖକୁ ନେବାକୁ ବିଜେପି ଓ ବିଜେଡିର ତୟାରି ।
ଗାଁ ଗାଁରେ ହେବ ପ୍ରଚାର । BSKY ଅାରମ୍ଭ ବେଳେ ହିତାଧିକାରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ, ଏବେ ରଥ ବୁଲାଇ ପୁଣି ପ୍ରଚାର କରିବାକୁ ଅାରମ୍ଭ ହୋଇଛି ପ୍ରୟାସ। ସେପଟେ ଅାୟୁଷ୍ମାନ ଭାରତ ଓ BSKY କୁ ନେଇ କେନ୍ଦ୍ର, ରାଜ୍ୟ ମଧ୍ୟରେ ଚାଲିଥିବା ଲଢେଇ ଲୋକଙ୍କୁ ପାଖକୁ ନେବାକୁ ଚାଲିଛି ପ୍ରସ୍ତୁତି ।
ଅାସନ୍ତା ୩୦ରୁ ବିଜେପି ଅାରମ୍ଭ କରିବ ଜନ ଜାଗରଣ କାର୍ଯ୍ୟକ୍ରମ। ଅାୟୁଷ୍ମାନ ଭାରତରେ ଓଡ଼ିଶାବାସୀଙ୍କୁ ସାମିଲ କରିବା ଦାବିରେ ବିଜେପି କାର୍ଯ୍ୟକର୍ତ୍ତା ଗାଁ ଗାଁକୁ ଯାଇ ଦସ୍ତଖତ ସଂଗ୍ରହ କରିବେ। ଯୋଜନାର ଫାଇଦା ଓ ନବୀନ ସରକାର କାହିଁକି ଏହାକୁ ଗ୍ରହଣ କରୁନାହାନ୍ତି ସେ ନେଇ ଅବଗତ କରିବେ। ବିଜେପିର ଏହି କାର୍ଯ୍ୟକ୍ରମକୁ କାଉଣ୍ଟର କରିବାକୁ ଅଣ୍ଟା ଭିଡିଛି ବିଜେଡି।
ଗାନ୍ଧି ଜୟନ୍ତୀରୁ ଅାରମ୍ଭ ହେଉଥିବା ଦଳୀୟ ପଦଯାତ୍ରା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାହିଁକି କେନ୍ଦ୍ର ଯୋଜନା ଠାରୁ ଭଲ ସେ କଥା ବୁଝାଇବେ। ଏନେଇ ଉଭୟଙ୍କୁ ସମାଲୋଚନା କରିଛି କଂଗ୍ରେସ।
ଅାୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ବାହାରେ ଅନ୍ୟ ରାଜ୍ୟର ହସପିଟାଲରେ ବି ହିତାଧିକାରୀ ଚିକିତ୍ସା ସୁବିଧା ପାଇପାରିବେ। BSKYରେ କିନ୍ତୁ ବିଶାଖାପଟନମ୍ ଓ ରାୟପୁରକୁ ଛାଡ଼ିଦେଲେ ଅନ୍ୟ ରାଜ୍ୟରେ ଏହି ସୁବିଧା ମିଳିବ ନାହିଁ। ଏହାକୁ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା ହେବା ପରେ ଅାଜି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏବେ ସୁଦ୍ଧା ୪୫ ଲକ୍ଷ ହିତାଧିକାରୀ ଯୋଜନାର ଫାଇଦା ପାଇସାରିଲେଣି। ବାହାର ରାଜ୍ୟରେ ଯେଉଁଠି ଚାହିଦା ରହିବ ସେଠାକାର ହସ୍ପିଟାଲଗୁଡ଼ିକୁ ଅନୁବନ୍ଧିତ କରାଯିବ ।
ମୋଦି କେୟାର ଓ ନବୀନ କେୟାରକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ଧୀରେ ଧୀରେ ତୀବ୍ର ହେଉଛି। କେନ୍ଦ୍ର ଯୋଜନାକୁ ରାଜ୍ୟ ଗ୍ରହଣ କରନିଥିବାରୁ ରାଜ୍ୟ ପାଇଁ ଏହା ବୁମେରାଂ ହେବ କି ? ତା ଉପରେ ନଜର ରହିଛି ।
https://youtu.be/zwDJ6gGQz-0