ଭୁବନେଶ୍ୱର: ଓଟିଭି ଏମଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ। ଏଥର ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଜିଲ୍ଲା ସାରୁଅ, ଜୟ ମଙ୍ଗଳ ଏବଂ ଗୌଡ଼ପୁଟ ଗାଁର ଲୋକେ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହ ସେମାନଙ୍କ ଚାଷ ଜମିକୁ ରାସ୍ତା ଛାଡ଼ୁନଥିବା ଅଭିଯୋଗ ଆଣିଛନ୍ତି।
ରାସ୍ତା ନଥିବାରୁ ଚାଷ ଜମିକୁ ସେମାନେ ଯାଇପାରୁନାହାନ୍ତି। ଏପରିକି ଜମି ଜବରଦଖଲ ନେଇ ମଧ୍ୟ କିଛି ଲୋକ ଧମକ ଦେଉଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ସଂପୃକ୍ତ ଗାଁର ଲୋକେ।
ସେପଟେ ଏଭଳି ଅଭିଯୋଗକୁ ସାରୁଅରେ ଥିବା ସାଇଟ୍ ଇନଚାର୍ଜ ଅନିରୁଦ୍ଧ ପଣ୍ଡା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ‘’କାହାର ଜମି ଜବରଦଖଲ କରାଯାଇନି, କାହାକୁ ରାସ୍ତା ବନ୍ଦ କରାଯାଇନି। ଆଇନ ମୁତାବକ ଜମି କିଣାଯାଇଛି, ଜମିକୁ ଯିବାକୁ ରାସ୍ତା ବି ଦିଆଯାଇଛି।‘’
ସେ ଆହୁରି କହିଛନ୍ତି ଯେ କିଛି ଲୋକ ବ୍ୟକ୍ତିଗତ ସ୍ୱାର୍ଥ ତଥା ଓଟିଭିକୁ ବଦନାମ ପାଇଁ ଏଭଳି ଅଭିଯୋଗ କରୁଛନ୍ତି। ଯାହା ଅଭିଯୋଗ କରାଯାଇଛି ତାହା ଅମୂଳକ। ଅପରପକ୍ଷେ ଅଭିଯୋଗର ସତ୍ୟାସତ୍ୟ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଏଡିଏମ୍।