ଲୋକାରଣ୍ୟ ବଡ଼ଦାଣ୍ଡ , ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନର ଦୃଶ୍ୟ

ପୁରୀ : ରାତି ପାହୁ ପାହୁ ଉଚ୍ଛୁଳୁ ମୁଛୁଳୁ ବଡ଼ଦାଣ୍ଡ। ତାରି ଭିତରେ କିଏ ବଡ଼ଦାଣ୍ଡକୁ ରଙ୍ଗୋଲିରେ ସଜୋଉଥିଲା, ତ କିଏ ବାଢୁଥିଲା ଭକ୍ତିର ଅର୍ଘ୍ୟ। ବିବିଧ ବର୍ଣ୍ଣ, ବିବିଧ ବିଭା, ବିଭିଧ ସେବା। କେତେ ଭାବ, କେତେ ଭଙ୍ଗୀ। କେଉଁଠି ମହାଦେବଙ୍କ ଉଦଣ୍ଡ ନୃତ୍ୟ ତ ପୁଣି କେଉଁଠି ବୁଲୁଥିଲା ରାମଭକ୍ତ ହନୁମାନଙ୍କ ଗଦା।

ସବୁ ନୃତ୍ୟ, ସବୁ ଗୀତ ତାଙ୍କ ଠାରୁ ଆରମ୍ଭ। ପୁଣି ତାଙ୍କରି ପାଖରେ ଶେଷ। ତେଣୁ ଯେଉଁଠୁ ନୃତ୍ୟର ସୃଷ୍ଟି, ସେଇଠି, ସେଇ ସୃଷ୍ଟିକର୍ତ୍ତାଙ୍କ ଆଗରେ, ଧୂଳିଧୂସରିତ ବଡ଼ଦାଣ୍ଡରେ ଖୋଲିଥିଲା ନୃତ୍ୟର ପସରା। ଘଣ୍ଟୁଆଙ୍କ ଘଣ୍ଟ ନାଦ ଭିତରେ ବନାଟି ଖେଳ ସାଙ୍ଗକୁ ଦେଶୀ ବିଦେଶୀ ନୃତ୍ୟ ଶିଳ୍ପୀଙ୍କ ଓଡ଼ିଶୀ ନୃତ୍ୟ। ଦେଶୀ ପାଦରେ, ଓଡ଼ିଶୀ ଛନ୍ଦ ବି ବିଭୋର କରୁଥିଲା ଭକ୍ତଙ୍କୁ।

ଝିପି ଝିପି ବର୍ଷା। ଏଇ ଅଛି ଏଇ ନାଇଁ। ତାରି ଭିତରେ କିଏ ବର୍ଷାରେ ଭିଜୁଥିଲେ ତ କିଏ ଭକ୍ତିରେ। ପୁଣି କିଏ ମହାପ୍ରଭୁଙ୍କ ଦିବ୍ୟ ଯାତ୍ରାରେ ବିବିଧ ସେବା ଯୋଗାଇ ଧନ୍ୟ ମଣୁଥିଲେ ନିଜକୁ। କିଏ ପାଣି ବାଣ୍ଟୁଥିଲା, ତ ପୁଣି କିଏ ବାଟ ତିଆରି କରୁଥିଲା,  ପୁଣି କିଏ ଭିଡ଼ ଭିତରେ ଅସୁସ୍ଥ ଭକ୍ତଙ୍କୁ ଯୋଗାଇ ଦେଉଥିଲେ ସ୍ୱାସ୍ଥ୍ୟ ସେବା।

 

You might also like