ହର୍ପିସ ନେଇଗଲା ଗୌରୀର ଜୀବନ

ଭୁବନେଶ୍ୱର:ନନ୍ଦନକାନନରେ ହର୍ପିସ ସଂକ୍ରମଣରେ ୭ ବର୍ଷର ଛୁଆ ହାତୀ ଗୌରୀ ଶେଷରେ ଆଖି ବୁଜି ଦେଇଛି। ଗତକାଲି ହର୍ପିସରେ କ୍ରମାଗତ ହାତୀ ମୃତ୍ୟୁକୁ ନେଇ ନନ୍ଦନକାନନ କର୍ମଚାରୀ ଚିନ୍ତାରେ ପଡ଼ିଛନ୍ତି। ଏହି ରୋଗକୁ କିପରି ନିୟନ୍ତ୍ରଣ କରାଯିବ ଏବଂ ଏଠାରେ ଥିବା ଅନ୍ୟ ପଶୁମାନଙ୍କୁ ଏହା କିପରି ସଂକ୍ରମିତ ନ ହେବ ସେଥିପାଇଁ ପଦକ୍ଷେପ ନିଆଯାଉଛି।

ହର୍ପିସରେ ୪ ମାସ ମଧ୍ୟରେ ଜୁଲି’,  ‘ଚନ୍ଦନ’  ‘କମଳା’ ପରେ ଏବେ ଗୌରୀର ମୃତ୍ୟୁ ଘଟିଛି। ଏହି ରୋଗ ଏବେ ଘାତକ ରୂପ ନେଲାଣି ।ଗତକାଲି  ରାତି  ୯ଟା ୫୧ ମିନିଟ୍‌ରେ ‘ଗୌରୀ’ର ମୃତ୍ୟୁ ଘଟିଥିଲା। ‘ଗୌରୀ’ ଗତ କିଛି ଦିନ ହେଲା ଅସୁସ୍ଥ ଥିଲା। ତାର ନିୟମିତ ଚିକିତ୍ସା ଚାଲିଥିବା ବେଳେ ପ୍ରତି ୧୨ ଘଣ୍ଟାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା।  ସଂକ୍ରମଣ ଆଶଙ୍କାରେ ଅନ୍ୟ ହାତୀଙ୍କଠାରୁ ତାକୁ ଅଲଗା ମଧ୍ୟ ରଖାଯାଇଥିଲା।

ଗୌରୀର ସ୍ୱାସ୍ଥ୍ୟାବସ୍ଥାରେ ସୁଧୁରି ଆସୁଥିବା ନେଇ ଗତକାଲି  ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ହେଲେ ରାତିରେ ମୃତ୍ୟୁ ଘଟିଛି। ସୂଚନାଥାଉ କି,  ୨୦୧୨ ଡିସେମ୍ବରରେ ଆଠଗଡ଼ ବନାଞ୍ଚଳରୁ ‘ଗୌରୀ’କୁ ନନ୍ଦନକାନନକୁ ଅଣାଯାଇଥିଲା।

ଅଗଷ୍ଟ ୨୫ ତାରିଖରେ  ହାତୀ ‘ଜୁଲି’, ସେପ୍ଟେମ୍ବର ୧୫ରେ ‘ଚନ୍ଦନ’ ଏବଂ ୧୯  ତାରିଖରେ ‘କମଳା’ର ମୃତ୍ୟୁ ହୋଇଛି।  ଏବେ ନନ୍ଦନକାନନରେ ଥିବା ହାତୀ ହୀରା ଏବଂ ମାମା ଅପେକ୍ଷାକୃତ କମ୍ ବୟସର ହୋଇଥିବାରୁ ସେମାନଙ୍କ ଉପରେ ଅଧିକ ନଜର ରଖାଯାଇଥିବା କହିଛନ୍ତି ନନ୍ଦନକାନନର ଉପନିର୍ଦ୍ଦେଶକ ଜୟନ୍ତ ଦାସ । ‘ଗୌରୀ’ର  ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହାତୀ  ସଂଖ୍ୟା ୮ରୁ ୪କୁ ଖସି ଆସିଛି।  ଯାହା ଏବେ  ଉଦ୍‌ବେଗର  ବିଷୟ ପାଲଟିଛି।

 

ଆହୁରି ପଢ଼ନ୍ତୁ

You might also like