ଓଡ଼ିଶାକୁ ‘ୟାସ୍‌’ ଭୟ; ୨୬ରେ ଛୁଇଁବ ଉପକୂଳ

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ବାତ୍ୟା ଭୟ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା । ୨୬ ତାରିଖ ସକାଳେ ଏହା ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ଅଛି । ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ଆସନ୍ତା ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେବ ।

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସକାଳେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି । ତେବେ ଏହି ବାତ୍ୟା କେଉଁଠି ଓ କେବେ ଲ୍ୟାଣ୍ଡଫଲ୍ କରିବ ? ତାର ତୀବ୍ରତା କେତେ ହେବ ? ତାହା ଲଘୁଚାପ ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ହେବ ବୋଲି ଆଇଏମଡି ଡିଜି କହିଛନ୍ତି ।

ହେଲେ ଏହାର ପ୍ରଭାବରେ ୨୫ ତାରିଖ ରାତିଠାରୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଆଇଏମଡି ପକ୍ଷରୁ କୁହାଯାଇଛି । ସେହିପରି ମତ୍ସ୍ୟଜୀବୀମାନଙ୍କୁ ଏହି ସମୟରେ ସମୁଦ୍ର ଭିତରକୁ ନଯିବାକୁ ସତର୍କ ସୂଚନା ଦିଆଯାଇଛି । ଯେଉଁମାନେ ଗଭୀର ସମୁଦ୍ରରେ ଅଛନ୍ତି ସେମାନେ ୨୩ ତାରଖ ପୂର୍ବରୁ କୁଳକୁ ଫେରିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ସତର୍କ ସୂଚନା ଜାରି କରି କହିଛନ୍ତି ।

ସେପଟେ କିନ୍ତୁ ଇଣ୍ଡିଆନ୍ ନ୍ୟାସନାଲ୍ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ୍ ସର୍ଭିସ୍ ବା INCOISର ମଡେଲ୍ କହୁଛି ସମ୍ଭାବ୍ୟ ବାତ୍ୟା ୟଶ, ଓଡ଼ିଶାର ବାଲେଶ୍ୱର ଓ ପଶ୍ଚିମବଙ୍ଗର ଦୀଘା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ । ସେହିପରି ଆଉ ଏକ ଜଣାଶୁଣା ପ୍ରତିଷ୍ଠାନ ECMWFର ପୂର୍ବାନୁମାନ ଅନୁଯାୟୀ ବାତ୍ୟା ବାଲେଶ୍ୱର ଆଖପାଖରେ ସ୍ଥଳଭାଗ ଛୁଇଁପାରେ ।

ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ନେଇ ସମୀକ୍ଷା କରିଛନ୍ତି SRC ପି.କେ. ଜେନା । ପୋଲିସ, ଅଗ୍ନିଶମ, ଓଡ୍ରାଫ୍, NDRF ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି। ଏହାସହ ଜିଲ୍ଲାପାଳମାନଙ୍କୁ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ତା ପୂର୍ବରୁ ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ଆଗୁଆ ପ୍ରସ୍ତୁତି ଓ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ପରାମର୍ଶ ଦେଇଛନ୍ତି । ବିଶେଷକରି ୧୦ଟି ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ କରିବା ସହ ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ, ଅନ୍ୟ ଭିତ୍ତିଭୂମିର ଯାଞ୍ଚ୍, ଉଦ୍ଧାର କାର୍ଯ୍ୟ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି SRC । ସେହିଭଳି ଗାଁରେ ଗାଁରେ ରନ୍ଧାଖାଦ୍ୟ, ଶିଶୁଖାଦ୍ୟ, ପ୍ରାଥମିକ ଚିକିତ୍ସା ସୁବିଧା ଆଦି ଯୋଗାଇ ଦେବା ଲାଗି ପଞ୍ଚାୟତିରାଜ ସଂସ୍ଥା ସଦସ୍ୟ, ସ୍ୱୟଂ ସହାୟକ ସଂଗଠନ ଓ ଆଶାକର୍ମୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

You might also like