ଛୋଟ ଛୁଆକୁ ଭାରରେ ରଖି ୧୨୦ କିଲୋମିଟର ଚାଲିଲେ ବାପା

ବାରିପଦା: ପେଟରେ ଭୋକ, ହେଲେ ଆଖି ସାମ୍ନାରେ ଯମଦୂତ ପରି ଠିଆ ହୋଇଛି ରୋଗ। ଏମିତି ଅବସ୍ଥାରେ ଜୀବନ ବଞ୍ଚାଇବା ପାଇଁ ଘରକୁ ଫେରିବା ପାଇଁ ସବୁ ପ୍ରକାର ବିପଦକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ଶ୍ରମିକମାନେ।  ସେଥିପାଇଁ ତ ଶହ ଶହ କିଲୋମିଟର୍ ଦୂର ଘରକୁ ପାଦରେ ଚାଲି ଚାଲି ଫେରୁଛନ୍ତି । ଜଣେ କି ଦୁଇ ଜଣ ନୁହେଁ ହଜାର ହଜାର ଲୋକ ନିଜ ଜୀବନକୁ ବିପଦରେ ପକାଇ ଚାଲୁଛନ୍ତି।

ଟ୍ରଲି ଓ କାଠପଟାରେ ପ୍ରବାସୀ ଶ୍ରମିକ ଛୁଆକୁ ବୋହିବା ଘଟଣା ପରେ ଏବେ ଓଡ଼ିଶାରେ ମଧ୍ୟ ସାମ୍ନାକୁ ଆସିଛି ଏକ ଉଦବେଗଜନକ ଚିତ୍ର। ଭାରରେ ଗୋଟିଏ ପଟେ ବସ୍ତା ଓ ଅନ୍ୟପଟେ ଛୋଟ ଛୁଆକୁ ବୋହି ନେଉଛି ବାପା। ଏ ଦୃଶ୍ୟ ମୟୂରଭଞ୍ଜ ବାରିପଦାର।

ଲକଡାଉନ ପରେ କାମଧନ୍ଦା ହରାଇ ଭଦ୍ରକରୁ ୧୨୦ କିଲୋମିଟରରୁ ଅଧିକ ରାସ୍ତା ଚାଲି ଚାଲି ଘରକୁ ଫେରିଛନ୍ତି ଏହି ଶ୍ରମିକ। ଗାଡ଼ି ଚାଲୁନଥିବାରୁ ଭାରରେ ପୁଅକୁ ଧରି ସେ ଘରକୁ ବାହାରିଥିଲେ।


ସେପଟେ ଆଗ୍ରାରେ ସୁଟକେଶ ଉପରେ ପିଲାକୁ ଶୁଆଇ ମାଆ ଟାଣିଟାଣି ନେବା ଘଟଣାରେ ପଞ୍ଜାବ ଓ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ୍ ପଠାଇଛନ୍ତି ଜାତୀୟ ମାନବାଧିକାର କମିଶନ।

୪/୫ ବର୍ଷର ଶିଶୁକୁ ଟ୍ରଲିବ୍ୟାଗ୍ ଉପରେ ଶୁଆଇ ତାକୁ ତା ମାଆ ଟାଣି ଟାଣି ନେଉଥିବା ଦେଖିବାକୁ ମିଳିଥିଲା। ଏହି ଶ୍ରମିକ ପରିବାର ପଞ୍ଜାବରୁ ଝାନସୀ ଯାଉଥିବା ବେଳେ ଆଗ୍ରା ନିକଟରେ ଦେଖିବାକୁ ମିଳିଥିଲା ଏଭଳି ହୃଦୟ ବିଦାରକ ଦୃଶ୍ୟ।

You might also like