ବଡ଼ କମ୍ପାନୀରେ ଚାକିରି ଦେବା ନାଁରେ ଲୋକଙ୍କୁ ଠକୁଥିଲେ ବାପପୁଅ, ବାନ୍ଧିଲା ପୋଲିସ୍‌

ଅନୁଗୁଳ(ବିରଜା ଦାସ): ବଡ଼ କମ୍ପାନୀରେ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକୁଥିଲେ। ଖାଲି ଓଡ଼ିଶା ନୁହେଁ ରାଜ୍ୟ ବାହାରର ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିବା ବାପପୁଅଙ୍କୁ ପୋଲିସ୍‌ ଗିରଫ କରିଛି। ଲୋକଙ୍କୁ ଠକୁଥିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ଶିମିଳିପଡା ଅଞ୍ଚଳର ଘନଶ୍ୟାମ ମିଶ୍ର ଏବଂ ତାଙ୍କ ପୁଅଙ୍କୁ ପୋଲିସ୍ ଗିରଫ କରିଛି।

ଅଭିଯୋଗ ଅନୁଯାୟୀ, ଅନୁଗୁଳ ଥାନା ଅନ୍ତର୍ଗତ ବେଣାଗାଡ଼ିଆ ଅଞ୍ଚଳର ପ୍ରାଣବନ୍ଧୁ ଜେନାଙ୍କ ପୁଅଙ୍କୁ ଜାମସେଦପୁର ଟାଟା କମ୍ପାନୀରେ ଚାକିରି କରାଇ ଦେବାକୁ କହି ୨ ବର୍ଷ ପୂର୍ବେ ଅନୁଗୁଳ ଶିମିଳିପଡା ଅଞ୍ଚଳର ଘନଶ୍ୟାମ ମିଶ୍ର ୪ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ। ମାତ୍ର ଦିନପରେ ଦିନ ବିତିଥିଲେ ମଧ୍ୟ ଘନଶ୍ୟାମ, ପ୍ରାଣବନ୍ଧୁଙ୍କ ପୁଅଙ୍କୁ କୌଣସି ନିଯୁକ୍ତି ଦେଇ ପାରିନଥିଲେ। ଫଳରେ ପ୍ରାଣବନ୍ଧୁ ଘନଶ୍ୟାମଙ୍କୁ ଟଙ୍କା ଫେରସ୍ତ ପାଇଁ କହିଥିଲେ। ଘନଶ୍ୟାମ ୩ଟି କିସ୍ତିରେ ୮୦ହଜାର ଫେରସ୍ତ ଦେଇଥିବାବେଳେ ଅବଶିଷ୍ଟ ଟଙ୍କା ପାଇଁ ପ୍ରାଣବନ୍ଧୁ ଓ ତାଙ୍କ ପତ୍ନୀ ଶିମିଳିପଡ଼ା ସ୍ଥିତ ଘନଶ୍ୟାମଙ୍କ ଘରକୁ ଯାଇଥିଲେ। ଏହି ସମୟରେ ପ୍ରାଣବନ୍ଧୁ ଓ ତାଙ୍କ ପତ୍ନୀଙ୍କୁ ଘନଶ୍ୟାମ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ଏପରିକି କାଠରେ ବାଡ଼େଇବା ପାଇଁ ମଧ୍ୟ ସେ ଉଦ୍ୟମ କରିଥିଲେ।

ଘଟଣାର ତଦନ୍ତ କରି ପୋଲିସ୍‌ ଜାଣିବାକୁ ପାଇଥିଲା, ଘନଶ୍ୟାମ ଓ ତାଙ୍କ ପୁଅ ଲୋକଙ୍କୁ ବଡ଼ କମ୍ପାନୀରେ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକିଛନ୍ତି। ବାପପୁଅ ଖାଲି ଓଡ଼ିଶା ନୁହେଁ, ବିହାର,ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ,ପଶ୍ଚିମବଙ୍ଗର ଅନେକ ଛାତ୍ରଛାତ୍ରୀଙ୍କୁ ନାମୀଦାମୀ କମ୍ପାନୀରେ ନିଯୁକ୍ତି ଦେବାପାଇଁ ଜଣକ ପିଛା ୨ରୁ ୩ ଲକ୍ଷ ଟଙ୍କା ନେଇ ସେମାନଙ୍କୁ ଠକିଥିଲେ। ଠକେଇର ପର୍ଦ୍ଦାଫାସ ପରେ କୋଲିୟରୀ ପୋଲିସ ବାପପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାସହ  ଠକେଇ ଘଟଣାର ତଦନ୍ତ ଜାରି ରଖିଛି।

ସୂଚନାଥାଉ କି, କିଛିଦିନ ତଳେ କଟକ ସିଡିିଏ ସେକ୍ଟର-୭ର ଜଣେ ଡାକ୍ତର ଠକାମୀର ଶିକାର ହୋଇଥିଲେ। ତାଙ୍କ ଠାରୁ ମୋଟ ୭୭ ଲକ୍ଷ ୮୬ ହଜାର ୭୨୭ ଟଙ୍କା ଠକି ନେଇଥିଲେ ସାଇବର ଠକ।

You might also like