‘ପରୀକୁ ବଳି ନୁହେଁ; ତାକୁ ମାରି ତା’ କିଡନୀ, ଆଖି ନେଇ ଯାଇଛନ୍ତି’

ଭୁବନେଶ୍ୱର: ପରୀ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷାଙ୍କ ବଳି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ମୃତ ପରୀଙ୍କ ବାପା। ଦନ୍ତକୁ ଦିଗହରା ପାଇଁ ଏଭଳି ମନ୍ତବ୍ୟ ଦିଆଯାଇଛି ବୋଲି ପରୀଙ୍କ ବାପା ଅଶୋକ ସାହୁ କହିଛନ୍ତି।

ପରୀଙ୍କ ବାପା ଅଶୋକ କହିଛନ୍ତି, ଘଟଣାର ୪ ମାସ ପରେ ଘଟଣାସ୍ଥଳକୁ ଯାଇଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ବଳି ପ୍ରସଙ୍ଗ ଉଠାଇଥିଲେ। ତେବେ ମାମଲାକୁ ଚାପିବା ପାଇଁ ବିଭିନ୍ନ ପ୍ରକାର ଆଳ ଦେଖାଉଛନ୍ତି, ତଦନ୍ତକୁ ଦିଗହରା କରିବା ପାଇଁ ସେ ଏପରି କହୁଛନ୍ତି।

ଗାଁରେ ବଳି କଥା କେହି କହି ନାହାନ୍ତି। ତାହା ମ୍ୟାଡାମଙ୍କ ନିଜସ୍ୱ ମତ। ନୟାଗଡ଼ରେ ବଳି ପ୍ରଥା ନାହିଁ। ଛେଳି, କୁକୁଡ଼ାକୁ ବି ବଳି ଦିଆଯାଉ ନାହିଁ। ପରୀକୁ ବଳି ନୁହେଁ, ତାକୁ ମାରି ତା’ କିଡନୀ, ଆଖି ନେଇଯାଇଛନ୍ତି ବୋଲି ଦୃଢତାର ସହ କହିଛନ୍ତି ପରୀଙ୍କ ବାପା ଅଶୋକ।

ଅନ୍ୟପକ୍ଷରେ, ପରୀକୁ ବଳି ଦିଆଯାଇ ଥାଇପାରେ କଥାକୁ ପୁଣି ଦୋହରାଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। କାଲି ନୟାଗଡ଼ ପରେ ଆଜି ସମ୍ବଲପୁରରେ କଥା ଦୋହରାଇ ସେ କହିଛନ୍ତି, ବଳି ସହ ଦୁଷ୍କର୍ମ ବି ହୋଇଥାଇପାରେ। ସେ ସମୟରେ ଅଙ୍ଗତସ୍କରୀ ଟେକ୍ନିକାଲି ସମ୍ଭବ ନୁହେଁ। ସେତେବେଳେ ଲକ୍‌ଡାଉନ ଥିଲା, ହସ୍ପିଟାଲ ସୁବିଧା ବି ନଥିଲା। ଯଦି ଜଣେ ନେଲା, ଦେହାବଶେଷ କାହିଁକି ପୁଣି ପକାଇ ଦେଲା ? ନୟାଗଡ଼, କନ୍ଧମାଳ ଅଞ୍ଚଳରେ ବଳି ଅନ୍ଧବିଶ୍ୱାସ ରହିଛି। ଦୁଷ୍କର୍ମ ମଧ୍ୟ ହୋଇଥାଇପାରେ। ଦୁଷ୍କର୍ମ କରି କେମିକାଲ ପକାଇ ବଡି ନଷ୍ଟ କରିଦେଇ ଥାଇପାରନ୍ତି। ମୁଁ ଯାହା ଷ୍ଟଡି କଲି ବଡି ଟ୍ରାନ୍ସପ୍ଲାଣ୍ଟ ସମ୍ଭାବନା କମ୍‌।

ଏହି ଘଟଣାକୁ ନେଇ SIT ମୁଖ୍ୟଙ୍କ ସହ ଆଲୋଚନା କରାଯାଇଛି। ତଦନ୍ତ ପ୍ରକ୍ରିୟା ମଧ୍ୟ ସେହି ଦିଗରେ ହେବା ଦରକାର ବୋଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା କହିଛନ୍ତି।

You might also like