ଟ୍ରକ୍‌ ଧକ୍କାରେ ବାପା ମୃତ, ପୁଅ ଗୁରୁତର

କୋଣାର୍କ(ସଞ୍ଜୟ ପତି): ଟ୍ରକ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ବାଣୀଶ୍ରୀ କଲେଜ୍‌ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ନାଁ କୈଳାସ ଚନ୍ଦ୍ର ବିଶ୍ୱାଳ। ତାଙ୍କ ଘର କାଜିପୁର ଗାଁରେ। ଗୁରୁତରଙ୍କ ନାଁ ବ୍ରହ୍ମାନନ୍ଦ ବିଶ୍ୱାଳ।

ସୂଚନା ଅନୁସାରେ, କୈଳାସ ଓ ତାଙ୍କ ପୁଅ ବାଇକ୍‌ରେ ପୁରୀ ଯାଉଥିଲେ। ତେବେ ବାଣୀଶ୍ରୀ କଲେଜ ନିକଟରେ ପଛରୁ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କୈଳାସଙ୍କର ମୃତ୍ୟୁ ଘଟିଥିଲା। ବ୍ରହ୍ମାନନ୍ଦଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ପିପିଲି-ନିମାପଡ଼ା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଭୁବନେଶ୍ୱରରୁ କୋଣାର୍କ ଓ ଭୁବନେଶ୍ୱରରୁ କାକଟପୁର ଆସୁଥିବା ଗାଡ଼ି ଗୁଡିକ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।
ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୁଲିସ୍‌ ଜବତ କରିଛି।

ଆହୁରି ପଢ଼ନ୍ତୁ

You might also like