ବୋହୂକୁ ପୋଡ଼ି ମାରିଦେଲା ଶ୍ୱଶୁର!

ଝାରସୁଗୁଡ଼ା: ବୋହୂକୁ ପୋଡ଼ି ମାରିଦେଲା ଶ୍ୱଶୁର। ଝାରସୁଗୁଡ଼ା ଲଇକେରା ଥାନା ଅନ୍ତର୍ଗତ ଭାଲୁପତ୍ରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ଶ୍ୱଶୁର କିରୋସିନି ଢାଳି ବୋହୂକୁ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଭାଲୁପତ୍ରାରେ ରହୁଥିବା ବନମାଳି ରୋହିଦାସଙ୍କ ପ୍ରଥମ ସ୍ତ୍ରୀର ପୁଅ ଶୁଖାରାମ ରୋହିଦାସ ସମ୍ବଲପୁର ସ୍ଥିତ ଶାସନ ଗାଁର ରୁକ୍ମଣୀ ରୋହିଦାସଙ୍କୁ ବିବାହ କରିଥିଲେ। ଗତ ୪ ମାସ ତଳେ ଶୁଖାରାମଙ୍କ ମୃତ୍ୟୁ ଘଟିଥିଲା। ସ୍ୱାମୀର ମୁତ୍ୟୁ ପରେ ରୁକ୍ମଣୀ ଶ୍ୱଶୁର ଘରେ ରହୁଥିଲେ। ଶ୍ୱଶୁର ବନମାଳି ଓ ରୁକ୍ମଣୀଙ୍କ ମଧ୍ୟରେ ଜମିଜମାକୁ ନେଇ ବିବାଦ ଦେଖା ଦେଇଥିଲା। ଗତକାଲି କୌଣସି ଏକ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଯାହାକୁ ନେଇ ବନମାଳି ଉତ୍ତ୍ୟକ୍ତ ହୋଇ ବୋହୂକୁ କିରୋସିନ ଢାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ରୁକ୍ମଣୀଙ୍କୁ ଝାରସୁଗୁଡ଼ା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତ୍ୟୁ ପୂର୍ବରୁ ରୁକ୍ମଣୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଶ୍ୱଶୁର ବନମାଳି ତାଙ୍କ ଉପରେ କିରୋସିନ୍‌ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ରୁକ୍ମଣୀଙ୍କ ବରିବାର ପକ୍ଷରୁ ଲଇକେରା ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ଆଧାରରେ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

You might also like