‘କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କରିବ କଂଗ୍ରେସ’

ଭୁବନେଶ୍ୱର: କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କରିବ। ଚାଷୀଙ୍କୁ ସୋଲାର ପମ୍ପ ମଧ୍ୟ ଯୋଗାଇ ଦିଆଯିବ।  କଂଗ୍ରେସ ଭବନରେ ଆଜି ବସିଥିବା ପିସିସି ଇସ୍ତାହାର କମିଟିର ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।

୫ ବର୍ଷ ଲାଗି ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ସେହିଭଳି ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତାକୁ ୩ ଶହରୁ ୧ ହଜାରକୁ ବୃଦ୍ଧି କରାଯିବ ବୋଲି ନିରଞ୍ଜନ କହିଛନ୍ତି।

ସେ କହିଛନ୍ତି, ତିନି ରାଜ୍ୟରେ କଂଗ୍ରେସକୁ ଶୃଙ୍ଖଳିତ ଲଢ଼େଇର ଫଳ ମିଳିଛି। ଓଡ଼ିଶାରେ ମଧ୍ୟ ମିଳିତ ଓ ଶୃଙ୍ଖଳିତ ହୋଇ ଲଢ଼ିଲେ କଂଗ୍ରେସକୁ ସଫଳତା ମିଳିବ।

ଅନ୍ୟପକ୍ଷରେ ଆଜି ଅପରାହ୍ନରେ ପିସିସି ଶୃଙ୍ଖଳାଗତ କମିଟର ବୈଠକ ବସିବ। ଏହି ବୈଠକରେ ଶ୍ରୀକାନ୍ତଙ୍କ ସଂପର୍କରେ ନିଷ୍ପତ୍ତି ନିଆଯାଇପାରେ। ପିସିସି ଶୃଙ୍ଖଳା କମିଟିରେ ଯାହା ନିଷ୍ପତ୍ତି ନିଆଯିବ, ତାହା AICCକୁ ଜଣାଇ ଦିଆଯିବ ବୋଲି ଶୃଙ୍ଖଳା କମିଟି ଆବାହକ କହିଛନ୍ତି।

You might also like