ଝାରସୁଗୁଡ଼ା: କୋଭିଡ୍ କଟକଣା ଜୋରଦାର କରିଛି ପ୍ରଶାସନ । ସାପ୍ତାହିକ ହାଟ, ଦୋକାନ, ବଜାର ବନ୍ଦ କରିଛି। ଫଳରେ ବ୍ୟବସାୟୀମାନେ ଘାଟାରେ ପଡ଼ିଛନ୍ତି। ଜିନିଷପତ୍ର ବିକ୍ରି କରିପାରୁ ନାହାନ୍ତି। ଏହି କ୍ରମରେ ଆଜି ଝାରସୁଗୁଡ଼ା ସହରରେ ଏକମାତ୍ର ପରିବା ବଜାରକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଥିଲା । ଫଳରେ ଏହି ବଜାର ଉପରେ ନିର୍ଭର କରୁଥିବା ଚାଷୀ ଓ ବ୍ୟବସାୟୀ ପନି ପରିବା ବିକି ନପାରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରତିବାଦରେ ବ୍ୟବସାୟୀ ପନିପରିବା ରାସ୍ତାରେ ଫୋପାଡି ଦେଇଛନ୍ତି।

ଜିଲ୍ଲାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ସପ୍ତାହିକ ଓ ଦୈନିକ ହାଟଗୁଡ଼ିକୁ ବନ୍ଦ କରି ଦେଇଛି । ତେବେ ଚାଷୀ ଓ ବ୍ୟବସାୟୀମାନେ କେଉଁଠି ପରିବା ବିକିବେ, ସେ ନେଇ ସ୍ଥାନ ନିର୍ଦ୍ଧାରଣ କରାଯାଇ ନାହିଁ। ଆଜି ମଙ୍ଗଳବାର ହାଟ ଥିବାରୁ ସକାଳୁ ପରିବା ଆଣିବା ପରେ ପୋଲିସ ବିକ୍ରି ପାଇଁ ମନା କରିଥିଲା ।

ଏହାକୁ ନେଇ ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି ରାସ୍ତାରେ ପରିବା ଢାଳି ପ୍ରତିବାଦ ଜଣାଇଛନ୍ତି ଚାଷୀ ଓ ବ୍ୟବସାୟୀ। ପରେ ପୌର ନିର୍ବାହୀ ଅଧିକାରୀ ଓ ପୋଲିସ ଉପସ୍ଥିତିରେ ଆଲୋଚନା ହୋଇଛି।

ଆଜି ସଂଧ୍ୟାରେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ଝାରସୁଗୁଡ଼ାରେ ଥିବା ଏକ ମାତ୍ର ବଜାରକୁ ପ୍ରଶାସନ ବନ୍ଦ କରି ଦେଇଥିବାରୁ ଚାଷୀ ଓ ବ୍ୟବସାୟୀମାନେ ହଇରାଣ ହେଇଥିବା ସେମାନେ ଅଭିଯୋଗ କରିଛନ୍ତି।

ସାପ୍ତାହିକ ହାଟ ଓ ଦୈନିକ ହାଟକୁ ପ୍ରଶାସନ ବନ୍ଦ କରି ସହରର ବିଭିନ୍ନ ସ୍ଥାନରେ ପରିବା ବିକ୍ରି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ହୋଇନଥିବା ଅଭିଯୋଗ କରି ଚାଷୀ ଓ ବ୍ୟବସାୟୀମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ସୂଚନାଥାଉ କି, ଝାରସୁଡାରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଗତକାଲି ଏହି ଜିଲ୍ଲାରୁ ୩୯ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ୩୧ ରୋଗୀ ବାହାରିଛନ୍ତି। ଏଠି କହିରଖିବୁ, ରାଜ୍ୟରେ କରୋନା ସଂକ୍ରମଣ ବେକାବୁ ହେଉଥିବାବେଳେ ଆଜି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୮୮ ଜଣ ରୋଗୀ। ଗତକାଲି ଚିହ୍ନଟ ହୋଇଥିଲେ ୫୭୩ ଜଣ ।

Other Stories