ବର୍ଷା ନେଇଗଲା ବର୍ଷକର ଆହାର

ବର୍ଷା ଛାଡ଼ିଯିବା ପରେ ଚାଷ ଓ ଚାଷୀଙ୍କ ଦୁର୍ଦ୍ଦଶାର ଚିତ୍ର ଦେଖିଲେ ଆପଣଙ୍କ ହୃଦୟ ବି ଦୋହଲି ଉଠିବ। କେଉଁଠି ଅମଳ ଅପେକ୍ଷାରେ ଥିବା ଧାନ ବିଲରେ ଗଜା ହୋଇ ଭାସୁଛି, ତ କେଉଁଠି ଉଜୁଡ଼ି ଯାଇଛି ପରିବା ଫସଲ। ଅମଳ ବେଳକୁ ଧାନଜମିର ଏ ଅବସ୍ଥା ଦେଖି କେଉଁ ଚାଷୀ ବା ଦେହ ଧରି ରହିପାରିବ।

୧୦ ଏକର ଜମିରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁନା ଫଳାଇଥିଲେ ଚାଷୀ ବାବୁଲା ଜେନା। ହେଲେ ବର୍ଷା ସବୁ ନେଇଗଲା। ଖାଲି ମନ ବୁଝିବାକୁ ମୁଲିଆ ମଜୁରିଆ ଲଗେଇ ପାଣିରୁ ଗଜାଧାନ ଛାଣୁଛନ୍ତି ସିନା, ହେଲେ ସେ ଜାଣିଛନ୍ତି ଏଥିରୁ କିଛି ମିଳିବନି। ସେହିପରି ପୁରୀ କୃଷ୍ଣପ୍ରସାଦ ବ୍ଲକ୍‌ର ଚାଷୀ ଝାଡ଼େଶ୍ୱର ଜେନାଙ୍କ ଦୁର୍ଦ୍ଦଶାର ଚିତ୍ର ବି ଠିକ୍‌ ଏମିତି। ପାଣିରୁ କୌଣସି ପ୍ରକାର ଗଜାଧାନକୁ ଛାଣି ଆଣି, ତାକୁ ବାତ୍ୟା ଆଶ୍ରୟ ସ୍ଥଳରେ ପଙ୍ଖା ଲଗେଇ ଶୁଖେଇବାରେ ବ୍ୟସ୍ତ ସିଏ ଓ ତାଙ୍କ ପତ୍ନୀ। କାଳେ କିଛି ନଷ୍ଟ ନ ହୋଇ ରହିଯିବ।

କେବଳ ପୁରୀ କାହିଁକି ଗଞ୍ଜାମ ଆସିକା ବ୍ଲକ୍ ଅଞ୍ଚଳର ଲଗାଣ ବର୍ଷାରେ ବି ନଷ୍ଟ ହୋଇଯାଇଛି ଏକର ଏକର ଜମିର ପନିପରିବା ଫସଲ। କୋବି, ବାଇଗଣ ଭଳି ପରିବା ବିଲରେ ପଚି ଗନ୍ଧେଇବାକୁ ଲାଗିଲାଣି ତା ସାଙ୍ଗକୁ ପୋକ ଉପଦ୍ରବ ବି ଆରମ୍ଭ ହୋଇଗଲାଣି। ତେଣୁ ଧାର କରଜ କରି ପନିପରିବା ଚାଷ କରିଥିବା ଚାଷୀ ଆଗକୁ ଋଣ କେମିତି ସୁଝିବେ, ପରିବାର କେମିତି ଚଳେଇବେ ସେଇ ଚିନ୍ତାରେ ଘାରି ହେଉଛନ୍ତି।

ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜ୍ୟର ୧୦ଟି ଜିଲ୍ଲାରେ ବ୍ୟାପକ ଅଞ୍ଚଳରେ ଫସଲ ନଷ୍ଟ ହୋଇଛି। ବହୁ ବାସ ବି ଯାଇଛି। ତେଣୁ ଆସନ୍ତା ୪ ତାରିଖ ସୁଦ୍ଧା ଲଗାଣ ବର୍ଷାଜନିତ ବାସଗୃହ ଓ ଫସଲର କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆର୍‌ସି।

You might also like