ଡାକ୍ତର ହେବେ ଚାଷୀ ପୁଅ
ଚାନ୍ଦବାଲି(ବାସୁଦେବ ଦାସ): ନିଜର ଜମି କହିଲେ ଗୁଣ୍ଠେ ନାହିଁ। ରହିବା ପାଇଁ ଘରବାଡ଼ି ବି ଖଣ୍ଡେ ନାହିଁ। ହେଲେ ପର ଜମି ଭାଗଚାଷ କରି ସେଥିରେ ଯାହା ହେଉଥିଲା ପୁଅକୁ ପାଠ ପଢ଼ାଉଥିଲେ। ଏବେ ପୁଅ ଏମ୍ସରେ ଡାକ୍ତରୀ ପଢିବା ପାଇଁ ନିଟ୍ ପରୀକ୍ଷାରେ ସିଲେକ୍ସନ ହୋଇଛନ୍ତି। ଆମେ ଏଠି କହୁଛୁ ଜଣେ ଗରିବ ଚାଷୀଙ୍କ ମେଧାବୀ ପୁଅଙ୍କ କଥା। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ କରଞ୍ଜମାଳ ଗାଁର ସତ୍ୟଜିତ୍ ବେହେରା ଏମ୍ସରେ ଡାକ୍ତରୀ ପଢିବା ପାଇଁ ମନୋନୀତ ହୋଇଛନ୍ତି।
ସତ୍ୟଜିତ୍ଙ୍କ ବାପା ଜଣେ ଗରିବ ଚାଷୀ। ନିଜର ଜମି ବାଡ଼ି କହିଲେ କିଛି ନାହିଁ। ୩ ଝିଅଙ୍କ ବିବାହ ପାଇଁ ସେ ଘର ଡିହ ଖଣ୍ଡେ ବିକି ବିବାହ କରାଇଥିଲେ। ଏବେ ସେ ସରକାରୀ ଜମିରେ ରହୁଛନ୍ତି। ଆଉ ପାଖ ଗାଁ ଲୋକଙ୍କ ଚାଷ ଜମି ଆଣି ଭାଗଚାଷ କରି ଯାହା ରୋଜଗାର ହେଉଛି ସେଥିରେ ପରିବାର ଚଳାଇବା ସହିତ ସତ୍ୟଜିତ୍ଙ୍କୁ ପାଠ ପଢ଼ାଉଥିଲେ। ବେଳେବେଳେ ମାମୁ ଘରେ ରହି ମଧ୍ୟ ସତ୍ୟଜିତ୍ ପାଠ ପଢ଼ୁଥିଲେ। ଏବେ ସତ୍ୟଜିତ୍ ଡାକ୍ତରୀ ପଢ଼ିବା ଜାଣିବା ପରେ ସମ୍ପର୍କୀୟଙ୍କଠୁ ଆରମ୍ଭ କରି ଗାଁଲୋକେ ବେଶ୍ ଖୁସି। ଏହି ସଫଳତା ପାଇଁ ସେମାନେ ସତ୍ୟଜିତ୍ଙ୍କୁ ପ୍ରଶଂସା କରିଛନ୍ତି।
ସତ୍ୟଜିତ୍ ପିଲାବେଳୁ ବହୁତ ଭଲ ପାଠ ପଢ଼ନ୍ତି। ମାଟ୍ରିକରେ ଭଲ ମାର୍କ ରଖି ପାସ୍ କରିବା ପରେ ବିଜେବି କଲେଜରେ ପାଠ ପଢିବା ସହିତ ମେଡିକାଲ କୋଚିଂ ନେଉଥିଲେ। ନିଟ୍ ଅଲ୍ ଇଣ୍ଡିଆରେ ୮,୪୯୬ ରାଙ୍କ୍ ରଖି ସତ୍ୟଜିତ୍ ପଶ୍ଚିମବଙ୍ଗ କଲ୍ୟାଣୀ ସହରରେ ଥିବା ଏମ୍ସରେ MBBS ପାଠ ପଢିବା ପାଇଁ ମନୋନୀତ ହୋଇଛନ୍ତି। ସେଠାରେ ତାଙ୍କର ନାମ ମଧ୍ୟ ଲେଖା ସରିଛି। ଏହି ସଫଳତା ପାଇଁ ସତ୍ୟଜିତ୍ ମାମୁ, ବାପା,ମା’ ଆଉ ପାଠପଢ଼ାରେ ସାହାଯ୍ୟ କରୁଥିବା ସମସ୍ତ ଶିକ୍ଷକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଆଗକୁ ଡାକ୍ତର ହୋଇ ବାପା ମା’ଙ୍କ ଦୁଃଖ ବୁଝିବା ସହିତ ନିଜ ଅଞ୍ଚଳରେ ଡାକ୍ତରୀ ସେବାରୁ ବଞ୍ଚିତ ଲୋକଙ୍କ ସେବା କରିବେ ବୋଲି ସତ୍ୟଜିତ୍ ଆଶା ରଖିଛନ୍ତି।
ଜଣେ ଚାଷୀ ପୁଅ ଡାକ୍ତର ହୋଇ ନିଜ ଅଞ୍ଚଳର ଗୌରବ ଆଣିବା ସମସ୍ତଙ୍କୁ ଯେତିକି ଖୁସି ଦେଇଛି, ତାଙ୍କର ଆଗାମୀ ପାଠପଢା କେମିତି ହୋଇପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ପରିବାର ଓ ଗାଁଲୋକେ ଦାବି କରିଛନ୍ତି।