ମାଲକାନଗିରି ଜିଲ୍ଲାରେ ଲାଗି ରହିଛି ମଣ୍ଡି ସମସ୍ୟା

୨ ସପ୍ତାହ ହେଲାଣି ମଣ୍ଡିରୁ ଉଠୁନାହିଁ ଧାନ

ମାଲକାନଗିରି : ଦୀର୍ଘ ଦିନର ପରିଶ୍ରମ ପରେ ଅମଳ ହୋଇଥିବା ଫସଲ ଖୋଲା ଆକାଶ ତଳେ ପଡ଼ି ରହିଛି। ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଅଞ୍ଚଳରେ ଥିବା ମଣ୍ଡିରେ ଶହ ଶହ ବସ୍ତା ଧାନ ପଡ଼ି ରହିଛି। ୨ ସପ୍ତାହରୁ ଅଧିକ ହେବ ଧାନ ମଣ୍ଡିରୁ ଉଠୁନାହିଁ। ଫଳରେ ଚାଷୀମାନେ ମଣ୍ଡିରେ ରହି ନିଜ ନିଜ ଧାନକୁ ଜଗିଛନ୍ତି।

ପଦ୍ମଗିରି ଛକରେ ମଣ୍ଡିରୁ ଧାନ ଉଠୁ ନ ଥିବା ପ୍ରତିବାଦରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟରେ ମଧ୍ୟ ସମାନ ସ୍ଥିତି। ଧାନ ବିକ୍ରି ହେଇ ପାରୁ ନ ଥିବାରୁ ସମସ୍ତଙ୍କୁ ଅଭିଯୋଗ ଜଣାଇ ବିଫଳ ହେଲା ପରେ ଚାଷୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛି।

ଅନ୍ୟପଟେ ମଣ୍ଡିରୁ ଧାନ ଉଠୁ ନଥିବାକୁ ମାଲକାନଗିରି ଜିଲ୍ଲା ଖାଦ୍ୟ ଯୋଗାଣ ବିଭାଗ ସ୍ୱୀକାର କରିଛି। ମିଲର ଧାନ ପାଇଁ ଦେଇଥିବା ସିକ୍ୟୁରିଟି ଟଙ୍କା ସରିଯିବାରୁ ଏହି ଅବସ୍ଥା ହୋଇଥିବା ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି। ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ମଣ୍ଡିରୁ ଧାନ ଉଠାଇବା ଲାଗି ପ୍ରଶାସନ ତୁରନ୍ତ ବ୍ୟବସ୍ଥା ନ କଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି।

You might also like