ଗଞ୍ଜାମ : ପ୍ରଥମେ ବାତ୍ୟା ଓ ବନ୍ୟାରେ ଧାନ ଫସଲ ନଷ୍ଟ ହେବା ପରେ ଏବେ ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କ ଉପରେ ଦାଉ ସାଜିଛି ଜଉ ପୋକ । କିଛି ଦିନ ଧରି ଲାଗି ରହିଥିବା କୁହୁଡ଼ିର ପ୍ରଭାବରେ ଏହି କୃଷି ଜିଲ୍ଲାର ମୁଗ ଓ ବିରି ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। କୃଷି ବିଭାଗ ମଧ୍ୟ ଏକଥାକୁ ସ୍ୱୀକାର କରିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ରୋଗ ପୋକ ଦାଉରୁ ରକ୍ଷା ଲାଗି କୃଷି ବିଭାଗ ପାଖରେ କୀଟନାଶକ ନଥିବା ଆସିକା କୃଷି ଜିଲ୍ଲା ଅଧିକାରୀ କହିଛନ୍ତି।
ଚଳିତ ବର୍ଷ ଗଞ୍ଜାମ ଜିଲାରେ ଭଲ ମୁଗ ଓ ବିରି ଫସଲ ହୋଇଛି। ହେଲେ ପାଖକୁ ଯାଇ ଦେଖିଲେ ଗଛରେ ହୋଇଥିବା ବିରି ଓ ମୁଗରେ ଜଉ ପୋକ ଲାଗିଥିବା ଦେଖିବାକୁ ମିଳିଛି। କିଛି ଦିନ ଧରି ଗଞ୍ଜାମ ଜିଲ୍ଲାର ଆସିକା କୃଷି ଅଞ୍ଚଳରେ କୁହୁଡ଼ି ଯୋଗୁଁ ଫସଲରେ ଜଉ ପୋକ ଲାଗିଥିବା ଅଭିଯୋଗ ହୋଇଛି। ଏମିତିକି ଚଳିତ ବର୍ଷ ବିହନ ରଖିବା ଲାଗି ମୁଗ, ବିରି ମିଳିବ କି ନାହିଁ ସେନେଇ ଚାଷୀ ସନ୍ଦେହରେ ଅଛନ୍ତି ।
ଏନେଇ ସ୍ଥାନୀୟ ଅଞ୍ଚଳର ଚାଷୀ କୃଷି ବିଭାଗକୁ ଜଣାଇବା ପରେ ଅଧିକାରୀ କ୍ଷେତକୁ ଆସିବା ପରିବର୍ତ୍ତେ, ଅଫିସରେ ଥାଇ ନିମ ତେଲ ପକାଇବାକୁ ଉପଦେଶ ଦେଇଛନ୍ତି । କେବେଳ ଏତିକି ନୁହେଁ ଜଉ ପୋକ ରୋକିବା ଲାଗି କୃଷି ବିଭାଗ ପାଖରେ କୀଟନାଶକ ନଥିବା କହିଛନ୍ତ ଜିଲ୍ଲା କୃଷି ଅଧିକାରୀ।
ପ୍ରଥମେ ତିତ୍ଲି କ୍ଷତି ଆଉ ଏବେ ମୁଗ ଓ ବିରି ଫସଲରେ ରୋଗ ପୋକ ଦାଉ ଆସିକା ଅଞ୍ଚଳର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଏବେ ଅପେକ୍ଷା ଚାଷୀଙ୍କୁ କେବେ ସହାୟତା ମିଳୁଛି।