ଧାନ ବିକ୍ରି ସମସ୍ୟା:ସୁନ୍ଦରଗଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଲେ ଚାଷୀ
ସୁନ୍ଦରଗଡ଼ : ଧାନ ବିକ୍ରି ସମସ୍ୟାକୁ ନେଇ ସୁନ୍ଦରଗଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଲେ ଚାଷୀ। ମନ୍ତ୍ରୀଙ୍କ ରାସ୍ତା ଅବରୋଧ କରିବା ସହ ଧାରଣା ଦେଇଛନ୍ତି। ଆଜି ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ କାର୍ଯ୍ୟାଳୟ ଆଗରେ ଏହି ଘଟଣା ଘଟିଛି। ଦୁଇ ଦିନିଆ ସୁନ୍ଦରଗଡ ଗସ୍ତରେ ଆସିଥିବା ମନ୍ତ୍ରୀ ପ୍ରତାପ ଜେନା ଆଜି ଟାଙ୍ଗରପାଲି ବ୍ଲକ କାର୍ଯ୍ୟାଳୟକୁ ସମୀକ୍ଷା ପାଇଁ ଆସିଥିଲେ। ଆଉ ମନ୍ତ୍ରୀଙ୍କ ଆସିବା ଜାଣି ଚାଷୀମାନେ ବ୍ଲକ କାର୍ଯ୍ୟାଳୟ ସାମ୍ନା ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ।
ମନ୍ତ୍ରୀ ଆସିବା ପରେ ଚାଷୀମାନେ ତାଙ୍କୁ ଘେରି ଯାଇ ଟୋକନ୍ ଥିବା ସତ୍ତ୍ୱେ ସେମାନଙ୍କ ଅମଳ ଧାନ ବିକ୍ରି ହେଉ ପାରୁ ନ ଥିବା ଜଣାଇଥିଲେ। ଜାନୁଆରୀ ୧୫ରୁ ଟୋକନ୍ ମିଳିସାରିଛି, ହେଲେ ଏଯାଏଁ ଧାନ ଉଠିନଥିବବା କଥା ପ୍ରକାଶ କରିଥିଲେ। ଅନ୍ୟପଟେ ଧାନ ଅଛି ହେଲେ ସରକାର ଟାର୍ଗେଟ କାହିଁକି ବଢାଉ ନାହାନ୍ତି ବୋଲି ମନ୍ତ୍ରୀଙ୍କୁ ସିଧାସଳଖ ପ୍ରଶ୍ନ କରିଥିଲେ ଚାଷୀମାନେ। ତେବେ ଏନେଇ ମନ୍ତ୍ରୀ ଚାଷୀଙ୍କୁ ବହୁ ବୁଝାସୁଝା କରିଥିଲେ। ହେଲେ ଚାଷୀମାନେ ନିଜ କଥାରେ ଅଡ଼ି ବସିଥିଲେ। ଶେଷରେ ସମସ୍ତ ଜିଲ୍ଲା ପାଇଁ ଟାର୍ଗେଟ୍ ବୃଦ୍ଧି ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଲା ପରେ ଚାଷୀମାନେ ବାଟ ଛାଡି ଦେଇଥିଲେ।
#ମନ୍ତ୍ରୀଙ୍କୁ_ପ୍ରଶ୍ନ #ଟୋକନ୍_ଅଛି_ହେଲେ_ଧାନ_ବିକ୍ରି_ହୋଇପାରୁନି
ଧାନ ବିକ୍ରି ସମସ୍ୟାକୁ ନେଇ ସୁନ୍ଦରଗଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଲେ ଚାଷୀ। ମନ୍ତ୍ରୀଙ୍କ ରାସ୍ତା ଅବରୋଧ କରିବା ସହ ଧାରଣା ଦେଲେ।#Sundergarh#Odisha pic.twitter.com/McjbacEz3V— ଓଟିଭି (@otvkhabar) February 10, 2021