ଧାନ ମଣ୍ଡିକୁ ନେଇ ଚାଷୀ ଅସନ୍ତୋଷ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ରେ ଧାନ ମଣ୍ଡିକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଚଳିତ ବର୍ଷ ଜିଲ୍ଲାରେ ରବି ଋତୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇ ପାରିନାହିଁ। ଫଳରେ ଚାଷୀମାନେ ଧାନ ବିକ୍ରି କରି ନପାରି ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଧାର କରଜ କରି ଫସଲ ଅମଳ କରିଥିବା ଚାଷୀ ବାଧ୍ୟ ହୋଇ କମ୍‌ ମୂଲ୍ୟରେ ଦଲାଲମାନଙ୍କୁ ଧାନ ବିକ୍ରି କରୁଛନ୍ତି। ରବି ଋତୁ ଆରମ୍ଭରୁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଧାନ କିଣିବା ପାଇଁ ପ୍ରସ୍ତୁତ ହେଉଥିଲେ ହେଁ ଏଯାଏ ଧାନ କିଣାଯାଇ ପାରିନାହିଁ। ଚାଷୀମାନେ ଆଟ ଓ ବେର୍ଣ୍ଣା କିସମର ଧାନ ଅମଳ କରିଥିଲେ ମଧ୍ୟ ବିକ୍ରି କରିବାର ସୁଯୋଗ ପାଉ ନାହାନ୍ତି।

ବିନିକା ବ୍ଲକ୍‌ରେ ଏଥର ପ୍ରାୟ ୫୦ ହଜାର ପରିବାର ରବି ଋତୁରେ ଧାନ ଚାଷ କରିଥିଲେ। ଧାନ ଅମଳ ଆରମ୍ଭରୁ ହିଁ ଅଭାବୀ ବିକ୍ରିର ଶିକାର ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷେ ଆସନ୍ତା ୧୭ ତାରିଖରେ ଚାଷୀଙ୍କଠାରୁ ଧାନ କିଣାଯିବ ବୋଲି ବିନିକା ପ୍ରାଥମିକ କୃଷି ସମବାୟ ସମିତିର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।

You might also like