ସରକାରଙ୍କ ଗଭୀର ନଳକୂପ ସେଚ ଯୋଜନା ବାଟବଣା

ଦେଢ଼ ବର୍ଷ ପରେ ବି ବୋର୍‌ୱେଲ ବସିନଥିବା ଅଭିଯୋଗ

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା ) : ଚାଷ ଜମିକୁ ପାଣି ମାଡ଼ିବ। ଭଲ ଫସଲ ହେବ। ଋଣ ଶୁଝି ହସଖୁସିରେ ପରିବାର ପ୍ରତିପୋଷଣ କରିବେ। ଏ ଆଶା ନେଇ ରାଜ୍ୟ ସରକାର ବିଜୁ କୃଷକ ବିକାଶ ଯୋଜନା ଅନ୍ତର୍ଗତ ଗଭୀର ନଳକୂପ ସେଚନ ଯୋଜନାରେ, କୋରାପୁଟ ମହାଦେଇପୁଟ ପଞ୍ଚାୟତର ଅନେକ ଚାଷୀ କୋରାପୁଟ ସ୍ଥିତ ୟୁନିୟନ ବ୍ୟାଙ୍କ୍‌ରେ ୧୦ହଜାର ଟଙ୍କା ଲେଖାଏଁ ବାନ୍ଧିଥିଲେ।

ହେଲେ ଆଶା ରହିଗଲା ଆଶାରେ। ଆଜକୁ ଦେଢ଼ ବର୍ଷ ହେଲା ବୋର୍‌ୱେଲ ଖୋଲା  ଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ସେପଟେ ପାଣି ଅଭାବରୁ ଚାଷ ନଷ୍ଟ ହେବାରେ ଲାଗିଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ।

ନଦୀ କି ନାଳ ନଥିବାରୁ ଚାଷ ପାଇଁ ବର୍ଷ ତମାମ ପାଣି ସମସ୍ୟା ଲାଗିରହିଥାଏ । ଗାଁରେ ଥିବା ନଳକୂଅ ପାଣି ଶୋଷ ମେଣ୍ଟାଇବାକୁ ଯଥେଷ୍ଟ ନୁହେଁ। ତେଣୁ ଗଭୀର ନଳକୂପ ସେଚନ ଯୋଜନା ଚାଷୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଥିଲା। ତେଣୁ ୨୦୧୭ ମସିହାରେ ଜିଲ୍ଲାର ମୋଟ ୨୬ ଶହ ଚାଷୀ ଅନଲାଇନ ପଞ୍ଜିକୃତ କରି ଅର୍ଥ ପଇଠ କରିଥିଲେ । ସେପଟେ ଏନେଇ ପଚାରିବାରୁ ପରସ୍ପରକୁ ଦୋଷ ଲଦୁଛନ୍ତି କୃଷି ଓ ଉଠା ଜଳସେଚନ ବିଭାଗ ଅଧିକାରୀ। ଅନ୍ୟପଟେ ପୁଣିଥରେ ଟେଣ୍ଡର କରାଯାଇ କାମ ଆରମ୍ଭ ହେବ ବୋଲି ନିର୍ବାହୀ ଯନ୍ତ୍ରୀ କହିଛନ୍ତି।

You might also like