ମଣ୍ଡିରେ ଚାଷୀଙ୍କୁ ଶୋଷଣ ଓ ଧାନ କିଣାକୁ ନେଇ ମିଲର୍ସଙ୍କ ମନମାନୀ

ଚାଷୀଙ୍କ ଦୁଃଖ ଶୁଣୁଛି କିଏ?

ବଲାଙ୍ଗୀର(ମନରଞ୍ଜନ ଯୋଶୀ): ଏବେ ମଣ୍ଡି ଓ ମିଲର୍ସକୁ ନେଇ ଖୁବ ଚର୍ଚ୍ଚା ଲାଗିରହିଛି। କାରଣ ମଣ୍ଡିରେ ମିଲର୍ସଙ୍କ ମନମାନୀ ଯୋଗୁଁ, ହଇରାଣ ହରକତ ହେଉଛନ୍ତି ବିଚରା ଚାଷୀ । ଚାଷୀର ଧାନ ବିକ୍ରୀ ହେଉନାହିଁ କିନ୍ତୁ ମିଲର୍ସଙ୍କ ଟାର୍ଗେଟ ପୂରି ଯାଉଛି। କେମିତି ହେଉଛି ଟାର୍ଗେଟ ? କେମିତି ମ୍ୟାନେଜ କରୁଛନ୍ତି ମିଲର୍ସ ? କିଏ ମିଲର୍ସଙ୍କ ସାଥ ଦେଉଛି ? ସରକାରୀ ରେକର୍ଡ ଅନୁଯାୟୀ, କେମିତି ମିଲରୁ ଗାଏବ ହୋଇଯାଉଛି ହଜାର ହଜାର କ୍ୱିଣ୍ଟାଲ ଧାନ? କଣ୍ଟାବାଞ୍ଜିର ଗୋଟିଏ ମିଲରେ ପ୍ରଶାସନର ରେଡ ପରେ ସାମ୍ନାକୁ ଆସିଛି, ଏମିତି କିଛି ଚାଂଚଲ୍ୟକର ତଥ୍ୟ। ଗୋଟିଏ ମିଲ୍‌ରେ ହଜାର କ୍ୱିଣ୍ଟାଲ ଧାନ ଗାଏବ ହୋଇଥିଲା। ଦୁଇ ତିନିଦିନର ମାରାଥନ ଜେରା ପରେ, ମିଲ ହେଲା ସିଲ୍।  ପାଖାପାଖି ୬ କୋଟି  ଟଙ୍କାର ରିକଭରୀ ନୋଟିସ ହୋଇଥିଲା। ମିଲର୍ସଙ୍କ ଆକାଉଣ୍ଟ ବି ସିଜ୍‌ ହୋଇଥିବା ଜଣାଯାଇଛି । ଥାନାରେ ମିଲର୍ସଙ୍କ ବିରୋଧରେ ମାମଲା ଫୋର ଟ୍ୱେଣ୍ଟିରେ ଦାୟର ହୋଇଥିବା ଜଣାପଡିଛି।

କେବଳ ବଲାଙ୍ଗିରରେ ନୁହେଁ, ସାରା ଓଡିଶାରେ କଣ୍ଟାବାଞ୍ଜିର ଲିଲୁରାମ ରାଇସ ମିଲକୁ ନେଇ ଚର୍ଚ୍ଚା ଚାଲିଛି। କାରଣ ସିଜନ ଆରମ୍ଭରୁ, ଧରାପଡିଥିଲା ମିଲର୍ସଙ୍କ ଏପରି ଠକାମୀ। ଦୀର୍ଘ ଦୁଇରୁ ତିନିଦିନ ଧରି ଟିଟିଲାଗଡ ଉପ-ଜିଲ୍ଲାପାଳଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗକୁ ନେଇ ଗଠିତ ଟିମ ମିଲ ଉପରେ ଚଢଉ କଲା। ମିଲରେ ଥିବା ୭ ରୁ ୮ଟି ଗୋଦାମକୁ ଛାନଭିନ କଲା ତଦନ୍ତକାରୀ ଟିମ । ତଦନ୍ତରେ ସହଯୋଗ ପାଇଁ ବାରବାର ମିଲର ମାଲିକ ନିବାସ ଜୈନକୁ ଯୋଗାଯୋଗ କରିଥିଲା ପ୍ରଶାସନ। କିନ୍ତୁ ପାଖ ମାଡି ନଥିଲେ ମିଲର୍ସ।

ମିଲର୍ସଙ୍କ ସଂର୍ପକୀୟଙ୍କ ଉପସ୍ଥିତିରେ, ମିଲ୍‌ର ସବୁକିଛି ଛାନଭିନ ହେଲା। ଦୀର୍ଘ ତିନିଦିନର ଖୋଳତାଡ ପରେ ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ। କଷ୍ଟମ ମିଲିଂ କରି ଡେଲିଭରୀ ଦେବା ଆଗରୁ ଧରା ପଡିଯାଇଥିଲା ମିଲରଙ୍କ ୪୨୦ କାମ। ହିସାବ କିତାବ ପରେ ଜଣାପଡିଲା, ମିଲରେ ୩୦ ହଜାର କ୍ୱିଣ୍ଟାଲରୁ ଅଧିକ ଧାନ ଓ ୧ ହଜାର କ୍ୱିଣ୍ଟାଲ ଚାଉଳ କମ ଅଛି, ଆଉ ତାହାର ମୂଲ୍ୟ ପାଖାପାଖି ୬ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ମିଲର୍ସଙ୍କ ବ୍ୟାଙ୍କ ଡିପୋଜିଟ ସିଜ୍‌ କରିବା ସହିତ, ଆକାଉଣ୍ଟକୁ ସିଜ ମଧ୍ୟ କରାଯାଇଥିଲା । ଆଉ ସବିଶେଷ ହିସାବ କିତାବ ପରେ, ଜିଲ୍ଲା ଯୋଗାଣ ଅଧିକାରୀ ୩ କୋଟି ୫ ଲକ୍ଷ ୭୧ ହଜାର ଟଙ୍କାର ରିକଭରୀ ନୋଟିସ ପଠାଇଛନ୍ତି।

ଖାଲି ସେତିକି ନୁହେଁ, ବିଭାଗ ପକ୍ଷରୁ ମିଲ କାରବାରରେ ସଂପୃକ୍ତ ଲିଲୁରାଜ ଜୈନ, ପିୟୁଷ ଜୈନ ଓ ନିବାସ ଜୈନଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ବିଭାଗ ତରଫରୁ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।

ପଢନ୍ତୁ: ଗରିବଙ୍କ ପାଇଁ ଖୋଲିଛି କ୍ଲିନିକ୍‌; ଫି ମାତ୍ର ଗୋଟିଏ ଟଙ୍କା

ଚଢଉ ପରେ, ଟିଟିଲାଗଡ ଉପ-ଜିଲ୍ଲାପାଳଙ୍କ ନିର୍ଦେଶରେ ତୁରେକେଲା ସପ୍ଳାଏ ଇନ୍ସପେକ୍ଟର କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ଭାରତୀୟ ପିଙ୍ଗଳ କୋଡ ୪୨୦ ଧାରାରେ, ମିଲ ମାଲିକ ନିବାସ ଜୈନଙ୍କ ବିରୋଧରେ ମାମଲା ବି ରୁଜୁ ହୋଇଛି। କିନ୍ତୁ ଏଠି ବି ମିଲର୍ସଙ୍କ ମନମାନୀ ଚାଲିଛି। ମିଲ ଯାଞ୍ଚ ସମୟରେ ପ୍ରଶାସନର ବାରମ୍ବାର ତାଗିଦ ସତ୍ତ୍ୱେ  ପାଖ ମାଡିନଥିଲେ ମିଲ ମାଲିକ ନିବାସ ଜୈନ। କେବଳ ଏତିକି ନୁହେଁ ବରଂ ମାମଲା ରୁଜୁ ହେଲା ପରେ ବି ନା ଥାନାକୁ ସେ ଯାଇଥିଲେ, ନା ପୋଲିସ ତାଙ୍କ ପାଖରେ ପହଞ୍ଚିଥିଲା।

ଉଭୟ ପ୍ରଶାସନ ଓ ପୋଲିସକୁ ଚଖମା ଦେଇ ଫେରାର ହୋଇଯାଇଛି ମିଲ ମାଲିକ। କୋଟି କୋଟି ଟଙ୍କାର ବ୍ୟବସାୟ କରୁଥିବା ବ୍ୟବସାୟୀ, କେମିତି ପୋଲିସ ଓ ପ୍ରଶାସନ ଆଖିରେ ଧୂଳି ଦେଇ ଖସିଯାଆନ୍ତି ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ? ଚର୍ଚ୍ଚା ହେଉଛି କିଛି ପ୍ରଶାସନିକ ଅଧିକାରୀମାନେ କୁଆଡେ ଏମାନଙ୍କୁ ସାଥ୍ ଦେଉଛନ୍ତି। ତେଣୁ କୌଣସି ସଲାସୁତୁରା ନକରି ମିଲର୍ସ-୪୨୦ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି କଣ୍ଟାବାଞ୍ଜିର ବୁୁଦ୍ଧିଜୀବି।

You might also like