ଚାଷୀଙ୍କ ନିଦ ହଜାଇ ଦେଲାଣି ଜଉପୋକ

ଶହ ଶହ ହେକ୍ଟର ମୁଗ ଫସଲରେ ଲାଗିଛି ଜଉପୋକ

  • ଚିନ୍ତାରେ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଅଞ୍ଚଳର ଚାଷୀ
  • ଶହ ଶହ ହେକ୍ଟର ମୁଗ ଫସଲରେ ଲାଗିଛି ଜଉପୋକ
  • କ୍ଷତିପୂରଣ ଦିଆଯିବ କହିଲେ ଜିଲ୍ଲା କୃଷିଅଧିକାରୀ

କଟକ: କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ଅଞ୍ଚଳରେ ଶହ ଶହ ହେକ୍ଟର ମୁଗ ଫସଲ ନଷ୍ଟ ହେଉଛି। ଦାଉ ସାଧୁଛି ଜଉପୋକ ଓ ଗୁଣ୍ଡିପୋକ। ଚଳିତ ବର୍ଷ ଠିକ ଭାବେ ବର୍ଷା ନ ହେବା ସହ ସରକାର ପୋକମରା ଔଷଧ ସମୟରେ ନ ଦେବାରୁ ଏହି ସ୍ଥିତି ଉପୁଜି ଥିବା ଜଣାପଡିଛି। ସେପଟେ ଜିଲ୍ଲାର ନିଆଳୀ ଓ କଣ୍ଟପଡ଼ା ଅଞ୍ଚଳରେ ସରକାରୀ ସହଯୋଗ ନ ମିଳିବାରୁ ଚାଷୀ ଚିନାବାଦାମ ଚାଷରୁ ମୁହଁ ଫେରାଇଲେଣି।

ଧାନ ଚାଷ ପରେ ପରେ ବହୁ ପରିଶ୍ରମ କରି କ୍ଷେତରେ ମୁଖ ଫସଲ କରିଥିଲେ ଚାଷୀ, ଭଳ ଫସଲ ବି ହୋଇଥିଲା। ହେଲେ ମୁଗ କେନା ଧରୁ ଧରୁ ଦାଉ ସାଧିଲା ଜଉପୋକ ସହ ଗୁଣ୍ଡିପୋକ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ଅଞ୍ଚଳରେ। ମୁଗ ଫସଲର ଦୃଶ୍ୟକୁ ଯିଏ ଦେଖିବ ସିଏ ହିଁ ବୁଢିପାରିବ  ଜଉପୋକ ଲାଗିବାରୁ କିଭଳି ପୋଡିଯାଇଛି ମୁଗ ଫସଲ। ପତ୍ର ହଳଦିଆ ପଡିଯିବା ସହ ମୁଗ ନଷ୍ଟ ହୋଇଛି। ଏ ସମସ୍ୟା ନେଇ ଜିଲ୍ଲା କୃଷି ଅଧିକାରୀଙ୍କୁ ପଚାରିବାରୁ ଉପଯୁକ୍ତ ମାତ୍ରାରେ ଅସଲି କୀଟନାଶକ ନ ପକାଇବାରୁ ଏଭଲି ସ୍ଥିତି ଉପୁଜିଥିବା କହିଛନ୍ତି। ଏହାସହ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ଦିଆଯିବା ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି।

ଚିନାବାଦାମ ଚାଷରୁ  ମୁହଁ ଫେରାଉଛନ୍ତି ଚାଷୀ।

ନିଆଳୀ ଓ କଣ୍ଟାପଡ଼ା ଅଞ୍ଚଳରେ କମୁଛି ଚାଷ
ସରକାରୀ ପ୍ରୋତ୍ସାହନ ମିଳୁନଥିବା ଅଭିଯୋଗ କରୁଛନ୍ତି ଚାଷୀ

ସେପଟେ କଟକ ଜିଲ୍ଲା ନିଆଳୀ ଓ କଣ୍ଟାପଡ଼ା ଧୋୟା ଅଞ୍ଚଳରେ ଲାଭ ଦାୟକ ଚିନାବାଦାମ ଫସଲ ନଷ୍ଟ ହେବାକୁ ବସିଲାଣି। ଏଠାକାର ବାଲି ଦୋରଷିଆ ମାଟି ଚିନାବାଦାମ ଚାଷ ପାଇଁ ବେସ୍ ଉପଯୋଗୀ। ହେଲେ ସରକାରୀ ସହଯୋଗ ନ ମିଳିବାରୁ ଏବେ ଚାଷୀ ଏହି ଚାଷ ପ୍ରତି ମୁହଁ ଫେରାଉଛନ୍ତି। ୨୦୧୫ ପର୍ଯ୍ୟନ୍ତ ଏହି ଦୁଇ ବ୍ଲକର ୩ହଜାର ୫୦୦ହେକ୍ଟର ଜମିରେ ଚାଷ ହେଉଥିଲା। ହେଲେ ବର୍ତ୍ତମାନ ଏହା ୧୨ଶହ ହେକ୍ଟରକୁ ଖସିଆସିଛି। ଆଗାମୀ ଦିନରେ ଯଦି ସରକାରୀ ସହଯୋଗ ନ ମିଳେ ତେବେ ଏହି ଚାଷ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ଚାଷୀ କହିଛନ୍ତି। କେଉଁଠି ରୋଗପୋକ ତ କେଉଁଠି ସରକାରୀ ପ୍ରୋତ୍ସାହନ ଅଭାବରୁ ଚାଷୀ ହନ୍ତ ସନ୍ତ ହେଉଛନ୍ତି। ଏଭଳି ସ୍ଥିତିରେ କୃଷି ବିଭାଗ ଏଥି ପ୍ରତି ନଜର ଦେବାକୁ ଦାବି ହୋଇଛି।

କଟକ ଜିଲ୍ଲା ନିଆଳିରୁ ବିନୟ ମିଶ୍ର ଓ ସାଲପୁରରୁ ମନୋଜ ଆଚାର୍ଯ୍ୟଙ୍କ ରିପୋର୍ଟ

You might also like