ଟଙ୍କା ଦେଇ ଚାଷୀ ହତାଶ

କୋରାପୁଟ: ଚିଟ୍‌ଫଣ୍ଡ ସଂସ୍ଥା ଭଳି ସରକାରୀ ଲ୍ୟାମ୍ପସ୍‌ ଦ୍ୱାରା ଗରିବ ଖଟିଖିଆ ଚାଷୀ ଠକାମିର ଶିକାର ହୋଇଛନ୍ତି। କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ୍‌ କୁନ୍ଦୁଲି ଅଞ୍ଚଳର ୪୪ ଜଣ ଚାଷୀ ଏବେ ବୀମା ରାଶି ଜମା କରି ହନ୍ତସନ୍ତ ହେଉଛନ୍ତି।

ଅଧିକ ଲାଭର ଲୋଭ ଦେଖାଇ ଲ୍ୟାମ୍ପସ୍‌ କର୍ମଚାରୀ ଚାଷୀଙ୍କଠାରୁ ବୀମା ପ୍ରିମିୟମ୍‌ ନେଇଥିଲେ। ପ୍ରତ୍ୟେକ ଚାଷୀ ବର୍ଷକୁ ୧୮ ହଜାର ଟଙ୍କା ହିସାବରେ ୫୪ ହଜାର ଟଙ୍କା ଲେଖାଏ ଜମା କରିଥିଲେ। ହେଲେ ତିନି ବର୍ଷ ପୂରି ଯାଇଥିଲେ ବି ସେମାନଙ୍କୁ ଟଙ୍କା ମିଳୁନଥିବା ବେଳେ ଲ୍ୟାମ୍ପସ୍‌ କର୍ମଚାରୀ ବି ଏନେଇ ନୀରବ ରହୁଛନ୍ତି।

ଚାଷବାସ ଆଉ ବେପାରରେ କ୍ଷତି ହେଲେ ବୀମା ଟଙ୍କା ମିଳିବ ବୋଲି ଆଶା ଦେଖାଇଥିବା ଲ୍ୟାମ୍ପସ୍‌ ଏବେ ଚାଷୀଙ୍କ ସହ ଖେଳୁଛି। କୁନ୍ଦୁଲି ଅଞ୍ଚଳରେ ୫୦ରୁ ଅଧିକ ଚାଷୀ ହଜାର ହଜାର ଟଙ୍କା ନିବେଶ କରି ହତାଶ ହୋଇଛନ୍ତି।

ଗୋଟିଏ ପଟେ ଚାଷୀଙ୍କୁ ଟଙ୍କା ଫେରାଉନଥିବା ବେଳେ, ଅନ୍ୟପଟେ ସଂପୃକ୍ତ ବୀମା କମ୍ପାନୀ ଜୟପୁରରେ ଥିବା ଅଫିସକୁ ଭୁବନେଶ୍ୱର ଉଠାଇ ନେଇଛି। ଏହାକୁ ଦେଖି ଚାଷୀଙ୍କ ମଧ୍ୟରେ ଆହୁରି ଅସନ୍ତୋଷ ବଢ଼ିଛି।

ସେପଟେ ଗରିବ ଖଟିଖିଆ ଲୋକ ଟଙ୍କା ଜମା କରି ହନ୍ତସନ୍ତ ହେଉଥିବା କଥା ଲ୍ୟାମ୍ପସ୍‌ର ପୂର୍ବତନ ପରିଚାଳକ ସ୍ୱୀକାର କରିଛନ୍ତି। ଅନ୍ୟପଟେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମବାୟ ସମିତିର ସହ ରେଜିଷ୍ଟ୍ରାର କହିଛନ୍ତି।

(କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ରିପୋର୍ଟ)

You might also like