ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ତାତିଲେ ଅନ୍ନଦାତା ! ସରକାରଙ୍କ ଉପରେ ବର୍ଷିଲା ବିଜେପି

ଆସନ୍ତାକାଲି ସମ୍ବଲପୁରରେ ଆରଡ଼ିସି ଅଫିସ୍ ଘେରାଉ, ବିଜେଡି କହିଲା କୃଷି ଆଇନରୁ ନଜର ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର : ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଭାଙ୍ଗିଲାଣି ଚାଷୀର ଧୈର୍ଯ୍ୟର ବନ୍ଧ । ମାସ ମାସ ଧରି ସମସ୍ୟା ସମାଧାନ ହେଉନଥିବାରୁ କିଛି ସ୍ଥାନରେ ଚାଷୀ ଆଜି ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଖରିଫ୍ ଧାନ କିଣାରେ ଅବ୍ୟବସ୍ଥା ନେଇ ପୁଳାପୁଳା ଅଭିଯୋଗ ଆସିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ଓ କଂଗ୍ରେସ୍ । ପାଦେ ଆଗକୁ ଯାଇ ଆସନ୍ତାକାଲି ସମ୍ବଲପୁରେ ବିଶାଳ ଚାଷୀ ସାମବେଶ କରିବା ସହ ଆରଡ଼ିସିଙ୍କ ଅଫିସ୍ ବି ଘେରିବାକୁ ଡାକରା ଦେଇଛି ବିଜେପି । ଅନ୍ୟପଟେ ବିଜେଡି କହିଛି, କୃଷି ଆଇଇନ୍ ବିରୋଧରୁ ନଜର ହଟାଇବା ଲାଗି ବିଜେପିର ଏହି ଡାକରା ବୋଲି କହିଛି ।

 ବୌଦ୍ଧ, ତେଲକୋଇ, ପଦ୍ମପୁର, ସୁନ୍ଦରଗଡ଼, କୋରାପୁଟ ସବୁଠି ଅବ୍ୟବସ୍ଥାର ଅସରନ୍ତି ଚିତ୍ର । ଖୋଲା ଆକାଶ ତଳେ ପଡିଛି ହଜାର ହଜାର ବସ୍ତା ଧାନ । କେଉଁଠି ସପ୍ତାହେ ତ କେଉଁଠି ମାସ ମାସ ହେଲା ମଣ୍ଡିରେ ଧାନ ପଡିଥିଲେ ବି ଉଠୁନି । ହନ୍ତସନ୍ତ ହେଉଛି ଚାଷ। । ଧାନ କିଣାରେ ଏଭଳି ଗୁରୁତର ଅବ୍ୟବସ୍ଥାକୁ ନେଇ ଆଉ ଧୈର୍ଯ୍ୟ ରହୁନାହିଁ । ଏହାର ପ୍ରଭାବ ପ୍ରଭାବ କୋରାପୁଟ ଓ ସୁନ୍ଦରଗଡ଼ରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।  କୋରାପୁଟ ଜୟନ୍ତୀଗିରିରେ ୨୬ ନମ୍ବର NHକୁ ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ । ମଣ୍ଡିରେ ଧାନ କିଣା ଯାଉନଥିବା ଜିଲ୍ଲା ପ୍ରଶାସନକୁ ଜଣାଯାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉନଥିବାରୁ ଚାଲିଛି ଏହି  ଆନ୍ଦୋଳନ ।  ସେପଟେ ସୁନ୍ଦରଗଡ଼ର ବାଲିଶଙ୍କରା ଲ୍ୟାମ୍ପସ ଆଗରେ ବି ରାସ୍ତାରୋକ କରାଯାଇଛି ।୨୪ ନମ୍ବର NHରେ ଧାନବସ୍ତା ଓ ଟ୍ରାର ରଖି ବାଟ ଓଗାଳିଛନ୍ତି ଚାଷୀ ।

ଧାନ କିଣାରେ ଏଭଳି ବ୍ୟାପକ ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ମଣ୍ଡିରୁ ଧାନ ନଉଠିବା, କଟନି ଛଟନି, ଟୋକାନ୍ ଅବ୍ୟବସ୍ଥା ଓ ପିଏମ୍ କିଷାନ ଯୋଜନାରେ ଚାଷୀଙ୍କ ସଂଖ୍ୟା କମିବା ଆଦି ପ୍ରସଙ୍ଗକୁ ନେଇ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ସରକାରଙ୍କୁ ନିଶାନା କରିଛି ବିଜେପି । ଚାଷୀଙ୍କ ଏସବୁ ସମସ୍ୟାକୁ ନେଇ ଆସନ୍ତାକାଲି ସମ୍ବଲପୁରରେ ଦଳ ଚାଷୀ ସମାବେଶ କରିବାକୁ ଯାଉଛି । ଏଥିରେ ପଶ୍ଚିମ ଓଡ଼ିଶାରେ ଥିବା ୫ଟି ସଂସଦୀୟ କ୍ଷେତ୍ର, ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ସହ ବୌଦ୍ଧ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀର ଚାଷୀମାନଙ୍କୁ ନେଇ ଆରଡ଼ିସି ଅଫିସ୍ ଘେରାଉ କରାଯିବ । ଏଥିପାଇଁ ସମ୍ବଲପୁରରେ ପ୍ରସ୍ତୁତି ଶେଷ ହୋଇଛି । ସମାବେଶରେ ବିଜେପିର ଓଡ଼ିଶା ସହପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ରାଜ୍ୟ ସଭାପତି ସମୀର ମହାନ୍ତି, ପଶ୍ଚିମ ଓଡ଼ିଶାର ସାଂସଦ, ବିଧାୟକ ଓ ତୁଙ୍ଗ ନେତମାନେ ଯୋଗ ଦେବେ । ସେପଟେ ମଣ୍ଡିର ଅବ୍ୟବସ୍ଥା ନେଇ କଂଗ୍ରେସ୍ ବି ରାଜ୍ୟ ସରକାରଙ୍କୁ କଡ଼ା ସାମଲୋଚନା କରିଛି । ବିଜେଡି କହିଛି, କୃଷି ଆଇନ୍ ବିରୋଧରୁ ନଜର ହଟାଇବା ଲାଗି ବିଜେପି ଘେରାଉ ଡାକରା ଦେଇଛି ।

ଗୋଟିଏ ପଟେ ସମବାୟ ବିଭାଗରେ ଦୁର୍ନୀତି, ଅନ୍ୟପଟେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଅଡୁଆରେ ରାଜ୍ୟ ସରକାର । ସେପଟେ ଦିଲ୍ଲୀରେ କୃଷି ଆଇନକୁ ନେଇ ଚାଷୀ ଆନ୍ଦୋଳନର ମଧ୍ୟ ସମାଧାନ ହୋଇପାରୁ ନାହିଁ  । ଆଗକୁ ଏସବୁ ପ୍ରସଙ୍ଗ କେଉଁ ମୋଡ଼ ନେଉଛି ତା ଉପରେ  ରହିଛି ସମସ୍ତଙ୍କ ନଜର ।

 

 

You might also like