• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ଉଦବେଗ ସ୍ଥିତିରେ ପହଞ୍ଚିଲାଣି ଧାନ ସଂଗ୍ରହ ସମସ୍ୟା। ଟୋକନ୍ ଅବଧି ସରିଯାଇଥିବାରୁ ପଶ୍ଚିମରୁ ଉପକୂଳ ଯାଏଁ ଖୋଲାମେଲାରେ ପଡ଼ିରହିଛି ହଜାର ହଜାର କ୍ୱିଣ୍ଟାଲ୍ ଧାନ। କେଉଁଠି ଅଦିନିଆ ବର୍ଷା ମାଡ଼ରେ ଧାନ ତିନ୍ତୁଛି, ତ ଆଉ କେଉଁଠି ରାଜରାସ୍ତାରେ ଧାନ ପକାଇ ଆନ୍ଦୋଳନରେ ବସିଛି ଚାଷୀ। ଏପଟେ ଧାନମଣ୍ଡି ସମସ୍ୟାକୁ ନେଇ ହୁଲସ୍ତୁଲ୍ ବିଧାନସଭା। ଧାନ ବିକ୍ରି ପ୍ରସଙ୍ଗରେ ସମବାୟ ମନ୍ତ୍ରୀଙ୍କ ବିବୃତ୍ତିକୁ ତୀବ୍ର ବିରୋଧ କରିଛନ୍ତି ବିରୋଧୀ। ଆଉ ବିବୃତ୍ତି କପିକୁ ବିଜେପି ଚିରି ଫିଙ୍ଗିଦେଇଥିବା ବେଳେ ସର୍ବଦଳୀୟ ବୈଠକକୁ ବୟକଟ୍ କରିବ ବୋଲି ବାଚସ୍ପତିଙ୍କୁ ଚିଠି ଲେଖିଛି କଂଗ୍ରେସ।

ହାଡ଼ ଭଙ୍ଗା ପରିଶ୍ରମ କରି ବର୍ଷକର ଫସଲ ଅମଳ କରିଥିଲେ ନୂଆପଡ଼ା ଜିଲ୍ଲା ଧିଙ୍ଗିଆମୁଣ୍ଡାର ରୋମାଚନ ଦଣ୍ଡସେନା। ଆଶା ବାନ୍ଧିଥିଲେ ଅନ୍ତତଃ ଆରବର୍ଷ ଯାଏଁ ତେଲ ଲୁଣର ସଂସାରକୁ ଚଳାଇନେବେ ବୋଲି। କିନ୍ତୁ ୩୦ ହଜାର ଟଙ୍କାର ବକେୟା ବିଦ୍ୟୁତ୍ ବିଲ୍ ନଦେବାରୁ ଲାଇନ କାଟିଦିଆଗଲା। କଷ୍ଟେମଷ୍ଟେ ଧାନ ଫଳାଇ କେନ୍ଦୁମୁଣ୍ଡା ମଣ୍ଡିକୁ ୮୫ ବସ୍ତା ଧାନ ନେଇଥିଲେ। ତେବେ ଟୋକନ୍ ଅବଧି ସରିଯାଇଥିବାରୁ ଧାନ ବିକ୍ରି କରିନପାରି ରୋମାଚନ କୀଟନାଶକ ପିଇଦେଲେ ବୋଲି କହିଛନ୍ତି ପରିବାର ଲୋକେ।

ବଲାଙ୍ଗିର ଛତାପିପଲରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଗୋଦାମ୍ ନଥିବାରୁ ଅଦିନିଆ ବର୍ଷାରେ ଧାନ ତିନ୍ତୁଛି । ଏପଟେ ଧୈର୍ଯ୍ୟର ବନ୍ଧ ଭାଙ୍ଗିବା ପରେ ରାଜରାସ୍ତାରେ ଚାଷୀ। ପଦ୍ମପୁର, ରିଆମାଳ ଓ ବାସୁଦେବପୁରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ।  କାହାର ଟୋକନ୍ ଅବଧି ସରିଯାଇଛି ତ ଆଉ କେଉଁଠି ଟାର୍ଗେଟ୍ ସରିଯାଇଥିବା ଦର୍ଶାଇ ଧାନକୁ ସମିତି ଫେରାଇ ଦେଉଛି। ଯାହାକୁ ନେଇ ଚିନ୍ତାରେ ବସିଛନ୍ତି ଚାଷୀ।

ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ମୋହନ ମାଝୀ। ସେ କହିଛନ୍ତି ଯେ, ଚାଷୀ ଧାନ ବିକ୍ରି କରିପାରୁନାହାନ୍ତି। ସେମାନଙ୍କ ଧାନ କେହି ଗ୍ରହଣ କରୁନାହାନ୍ତି, ଆଜି ହତାଶ ଅବସ୍ଥାରେ ଚାଷୀ ରହିଛନ୍ତି। ଆଜିକା ଦିନରେ ୪୦ ପ୍ରତିଶତ ଧାନ ମଧ୍ୟ ସଂଗ୍ରହ ହୋଇପାରିନାହିଁ।

ଆଉ ଏପଟେ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଚିଠି ସଂଶୋଧନ କରିବାକୁ ମୁଁ ଗୃହରେ କହିଛି। ଯଦି ସଂଶୋଧନ କରିବେ ନାହିଁ ତେବେ ପରବର୍ତ୍ତୀ ସମୟରେ ସର୍ବଦଳୀୟ ବୈଠକ ବାଚସ୍ପତି ଡାକିଲେ କଂଗ୍ରେସ ସେହି ବୈଠକରେ ସାମିଲ ହେବ ନାହିଁ ।

ଆଉ ଏହା ଉପରେ ଜବାବ ବି ରଖିଛନ୍ତି ଖୋଦ୍ ଯୋଗାଣ ମନ୍ତ୍ରୀ। ସେ କହିଛନ୍ତି ଯେ, ହୋହାଲ୍ଲା କରିବା ବିରୋଧୀଙ୍କ କାମ। ଏମିତି କରିବା ସେମାନଙ୍କର ବ୍ୟକ୍ତିଗତ ଏଜେଣ୍ଡା, ଆମେ କୌଣସି ପରିସ୍ଥିତିରେ ବି ବେପାରୀଙ୍କ ଧାନ କିଣିପାରିବୁ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ରାଜ୍ୟବ୍ୟାପୀ ଧାନକିଣା ଓ ଚାଷୀଙ୍କ ଏଭଳି ସମସ୍ୟାର ପ୍ରତିବାଦରେ ଆଜି ବି ବିଧାନସଭାରେ ଅଚଳାବସ୍ଥା ଦେଖିବାକୁ ମିଳିଥିଲା। ମଣ୍ଡି ଅବ୍ୟବସ୍ଥାକୁ ନେଇ ଆଜି ପ୍ରଶ୍ନକାଳ ଆରମ୍ଭରୁ ନାରାବାଜି କରି ଗୃହକୁ ଅଚଳ କରିଦେଇଥିଲେ ବିରୋଧୀ। ଗୃହ ଭିତରେ ଏବଂ ବାହାରେ ଗାଉନ୍ ପିନ୍ଧି ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ। ମଣ୍ଡିରୁ ଧାନ ଉଠାଣ, ଟୋକନ୍ ସମସ୍ୟା, ଧାନର ଏମ୍ଏସ୍ପି ଓ ଧାନ କିଣା ଦୁର୍ନୀତି ଆଦି ପ୍ରସଙ୍ଗ ଉଠାଇ ଗର୍ଜନ କରିଥିଲେ ବିରୋଧୀ।

ପରେ ଯୋଗାଣ ମନ୍ତ୍ରୀ ବିବୃତ୍ତି ରଖି କହିଥିଲେ ଯେ, ଫେବ୍ରୁୟାରୀ ୧୯ ସୁଦ୍ଧା ମୋଟ ୫୫.୦୩ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି। ଧାନ ସଂଗ୍ରହରେ ୨୧% ବୃଦ୍ଧି ଘଟିଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଧାନ ସଂଗ୍ରହ ଚାଲିବ। ରାଜ୍ୟ ବାହାରର ବ୍ୟବସାୟୀ ନୁହେଁ, ବରଂ ପଞ୍ଜୀକୃତ ଚାଷୀଙ୍କଠୁ ଧାନ କିଣାଯିବ ବୋଲି କହିଥିଲେ ମନ୍ତ୍ରୀା ମନ୍ତ୍ରୀଙ୍କ ଏହି ଉତ୍ତର କିନ୍ତୁ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନଥିଲା। ଏପରିକି ବିଜେପି ସଦସ୍ୟ ମନ୍ତ୍ରୀଙ୍କ ଉତ୍ତର କପିକୁ ଚିରିଦେଇଥିଲେ। ସେପଟେ ମନ୍ତ୍ରୀଙ୍କ ବିବୃତ୍ତି ନେଇ ଗତକାଲି ବାଚସ୍ପତି ଦେଇଥିବା ରୁଲିଂରେ ସଂଶୋଧନ ନହେଲେ ଆଗାମୀ ସର୍ବଦଳୀୟ ବୈଠକରେ ଯୋଗଦେବନି ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବାଚସ୍ପତିଙ୍କୁ ଚିଠି ଲେଖିଥିଲେ। ସେପଟେ ବାଚସ୍ପତି କହିଛନ୍ତି, ମନ୍ତ୍ରୀ ଗୃହରେ ବିବୃତ୍ତି ରଖିଛନ୍ତି। ତେଣୁ ସପ୍ତାହେ ଅପେକ୍ଷା କରିବା ଆଉ ପରେ ମନ୍ତ୍ରୀଙ୍କୁ ସମନ କରି ତଥ୍ୟ ମଗାଯିବ ବୋଲି କହିଛନ୍ତି। କିନ୍ତୁ ଏହାକୁ ବିରୋଧୀ ମାନିନାହାନ୍ତି ଯାହାକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା।

Farmer-issue-in-assembly
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories