ଆନ୍ଦୋଳନ ବେଳେ ଚାଷୀ ମୃତ

ବରଗଡ: ଆନ୍ଦୋଳନ ବେଳେ ଚାଷୀ ମୃତ। ଏମିତି ଏକ ଅଘଟଣ ଘଟିଛି ବରଗଡ଼ ଜିଲ୍ଲା ପାଇକମାଲର ପଲସଦା ଗାଁରେ। ମୃତକଙ୍କ ନାମ ଗୋବିନ୍ଦ ବିଶ୍ୱାଳ ବୋଲି ଜଣାପଡ଼ିଛି। ୫୦ ବର୍ଷୀୟ ଗୋବିନ୍ଦ ଫସଲ ବୀମା ପ୍ରଦାନ ଦାବିରେ ପଲସଦା ସମବାୟ ସମିତି ଆଗରେ ୫ ଦିନ ହେଲା ଆନ୍ଦୋଳନ କରୁଥିଲେ। ଚାଷୀ ସମବାୟ ସମିତିରେ ତାଲା ପକାଇ ଚାଷୀମାନେ ଆନ୍ଦୋଳନ କରୁଥିଲେ। କିନ୍ତୁ ଆଲୋଚନା ପାଇଁ ଚାଷୀଙ୍କ ନିକଟରେ କୌଣସି ପ୍ରାଶାସନିକ ଅଧିକାରୀ ପହଞ୍ଚି ନଥିଲେ ବୋଲି ଅଭିଯୋଗ ହୋଇଛି।

ଗୋବିନ୍ଦ ୩ ଏକର ଜମିରେ ଧାନ ଚାଷ କରିଥିଲେ। ଚାଷ ପାଇଁ ସେ ପଲସଦା ସୋସାଇଟିରୁ ୭୫ ହଜାର ଟଙ୍କା ଋଣ କରିଥିଲେ। ଅାଜି ଗୋବିନ୍ଦଙ୍କ ମୃତଦେହ ରଖି ବରଗଡ଼ ପାଇକମାଲର ଗୌରଜୁରିରେ ସ୍ଥାନୀୟ ଲୋକେ ଓ ଚାଷୀମାନେ ରାସ୍ତାରୋକ କରିଛନ୍ତି। ଗୋବିନ୍ଦଙ୍କ ସମସ୍ତ ଋଣ ଛାଡ଼ ସହିତ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରାଯାଇଛି।

ଏହି ଘଟଣାକୁ ନେଇ ବରଗଡ଼ ଓ ଅତାବିରାରେ ମଧ୍ୟ ରାସ୍ତାରୋକ କରାଯାଇଛି। ସେପଟେ ପଦ୍ମପୁର ଉପ-ଜିଲ୍ଲାପାଳ, କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍, ପୋଲିସ ଅଧିକାରୀ ଆସି ଆନ୍ଦୋଳନକାରୀଙ୍କ ସହ ଅାଲୋଚନା କରିବା ପରେ ଅାନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

You might also like