ପୁଣି ବିଲରେ ଜଳିଲା ଧାନ ଫସଲ

ଗଞ୍ଜାମ: ‘ତିତ୍‌ଲି’ ମାଡ଼ରେ ପାଣିରେ ବୁଡ଼ି ରହିଥିବା ଧାନଗଛ ପାଣି ଛାଡ଼ିବା ପରେ ଅଗାଡ଼ି ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍‌ କର୍ପୁର ନୂଆଗାଁରୁ ଆସିଛି ଏଭଳି ଅଭିଯୋଗ।

ଧାନ ଅଗାଡ଼ି ହେବା ପରେ ବିଲରୁ ଧାନ ଆଣିବା ପରିବର୍ତ୍ତେ ଫସଲକୁ ନିଆଁ ଲଗାଇ ଦେଇଛନ୍ତି ଚୀଷୀ। ଚାଷରେ କ୍ଷତି ହେବା ପରେ ଏଠାକୁ କୌଣସି ସରକାରୀ ଅଧିକାରୀ ଆସି ଆକଳନ ନ କରିବାରୁ ଚାଷୀ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ଅଭିଯୋଗ ହୋଇଛି।

ତେବେ ପୁଣି ଥରେ ଚାଷୀର ବିଲରେ ହୁ ହୁ ହୋଇ ଜଳିଛି ଧାନ ଫସଲ। ଅଗାଡ଼ି ଧାନକୁ କାଟିବା ଲାଗି ମଜୁରି ଦେଇପାରୁ ନଥିବାରୁ ଚାଷୀ ନିଜ କ୍ଷେତରେ ହିଁ ନିଜ ଫସଲ ଜାଳି ଦେବା ସହିତ ଜମିକୁ ପଡ଼ିଆ ପକାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପଟେ ଏ ନେଇ ଆସିକା ତହସିଲଦାରଙ୍କୁ ପଚାରିବାରୁ ‘ତିତ୍‌ଲି’ ପରେ ଆସିକା ବ୍ଲକ୍‌ର ସମସ୍ତ କ୍ଷତିଗ୍ରସ୍ଥ ଅଞ୍ଚଳର କ୍ଷୟକ୍ଷତି ଆକଳନ ହୋଇଥିବା ସେ କହିଛନ୍ତି।

ତେବେ କର୍ପୁର ନୂଆଗାଁ ବିଷୟ ନେଇ ତାଙ୍କ ନିକଟରେ ଅଭିଯୋଗ ହୋଇ ନଥିବା ସେ କହିଛନ୍ତି। ତଥାପି କ୍ଷୟକ୍ଷତିର ଆକଳନ ପରେ ଚାଷୀଙ୍କୁ ଇନପୁଟ୍ ସବ୍‌ସିଡି ପ୍ରଦାନ କରାଯିବ ବୋଲି ତହସିଲଦାର କହିଛନ୍ତି।

ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ୍‌ରେ ‘ତିତ୍‌ଲି’ କ୍ଷୟକ୍ଷତିର ଆକଳନ ସରିଥିବା କହିଛନ୍ତି ତହସିଲଦାର। ଏପଟେ କିନ୍ତୁ କ୍ଷୟକ୍ଷତିର ଆକଳନ ନ ହେବାରୁ ଚାଷୀ ନିଜ କ୍ଷେତରେ ନିଆଁ ଲଗାଇଥିବା କହିଛନ୍ତି। ତେବେ ଦୁହିଁଙ୍କ ମଧ୍ୟରୁ କାହା କଥା ଠିକ୍ ସେ ନେଇ ଏବେ ପ୍ରଶ୍ନ ଉଠିଛି।

You might also like