‘ଫୋନି’ର କୋପ: ଧ୍ୱଂସାବଶେଷ ତଳୁ ଖୋଜା ଚାଲିଛି ବଞ୍ଚିବାର ରାହା

ବ୍ରହ୍ମଗିରି: ‘ଫୋନି’ର ଲ୍ୟାଣ୍ଡଫଲ୍‌ ପରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ପୁରୀ ଜିଲା ବାସିନ୍ଦା। ବାତ୍ୟା, ବିଭୀଷିକା ଆଉ ତା ପରର ଦୁର୍ଦ୍ଦଶା ଜିଲାବାସୀଙ୍କୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଦେଇଛି। ଏହି ଜିଲ୍ଲା ଅଧୀନ ବ୍ରହ୍ମଗିରି ବ୍ଲକର ରେବଣାନୂଆଗାଁ, ତଳମାଳ ଓ ଆଳିଆପୁଟ ବାତ୍ୟାର କୋପରେ ହୋଇଛି ସମ୍ପୂର୍ଣ୍ଣ ଧରାଶାୟୀ। ପ୍ରଳୟଙ୍କରୀ ବାତ୍ୟା ଉଡ଼ାଇନେଇଛି ଭବିଷ୍ୟତ। ଅନ୍ଧକାର ଭିତରକୁ ଠେଲି ଦେଇଛି ଜୀବନ। ମାଟିରେ ମିଶିଯାଇଛି ଚାଳ, ଚୁଲି, ଉଜୁଡିଯାଇଛି ଚାଷ, ବାସ।

କାଳରୂପୀ ବାତ୍ୟା ଫୋନିରେ ଏହି ଗାଁରେ ଥିବା ସ୍କୁଲଗୁଡ଼ିକ ମାଟିରେ ମିଶିଯାଇଛି। ଏହା ସହ ପିଲାଙ୍କ ବହି, ଖାତା ପାଣିରେ ବତୁରି ଯାଇ ସେମାନଙ୍କ ପାଠପଢ଼ା ସ୍ୱପ୍ନକଚ ଧୂଳିସାତ କରିଛି। ତାହା କେବେ ମରାମତି ହେବ ତାହା ମଧ୍ୟ କାହାକୁ ଜଣାନାହିଁ। ହେଲେ ସଜଡ଼ା ନହେବା ଯାଏ ଏଠି ପାଠ ପଢ଼ା କଥା ଚିନ୍ତା କରିବା ମୁସ୍କିଲ। ଫଳରେ ଏଠାରେ ପଢ଼ୁଥିବା ପିଲାଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି।

ପ୍ରକୃତିର କୋପ ସମ୍ମୁଖରେ ମଣିଷ କିପରି ଅସହାୟ ତାହା ଏଠାରେ ଦେଖିବାକୁ ମିଳିଛି। ଶୁକ୍ରବାର ହୋଇଥିବା ତାଣ୍ଡବ ଲୀଳା ସମସ୍ତଙ୍କ ଅଣ୍ଟାକୁ ଦୋହଲାଇ ରଖି ଦେଇଛି। ଝଡ଼ ବିଭୀଷିକାରେ ମାଟିରେ ମିଶି ଯାଇଛି ବହୁ ଲୋକଙ୍କ ଘର। ସରକାରଙ୍କ ତରଫରୁ ମିଳିଥିବା ପୂର୍ବ ସୂଚନାକୁ ଆଧାର କରି ଜୀବନ ବଞ୍ଚାଇବାକୁ ସମସ୍ତେ ସୁରକ୍ଷିତ ସ୍ଥାନରେ ପଳାଇଲେ।

ହେଲେ ଝଡ଼ ପରେ ଫେରି ଯାହା ଦେଖିଲେ ତାହା ଥିଲା ହୃଦୟ ବିଦାରକ। ସମସ୍ତଙ୍କ ପାଇଁ ଯେମିତି ଅଜଣା ଓ ଅଚିହ୍ନା ପାଲଟି ଯାଇଥିଲା ଅତି ଆପଣାର ଭିଟାମାଟି । ପ୍ରକୃତି ଯେତେବେଳେ ଦାଉ ସାଧିଛି, କାହାକୁ ଆଉ ଦୋଷ ଦେବେ। ଭାଗ୍ୟକୁ ଆଦରି ପୁଣି ଥରେ ଧ୍ୱଂସ କୁଡ଼ିଆରୁ ଖୋଜୁଛନ୍ତି ବଞ୍ଚିବାର ରାହା।

ଫୋନି ଫଣାରୁ ସାଂଘାତିକ ଚୋଟ ଖାଇଥିବା ଉଭୟ ତଳମାଳ ଓ  ଆଳିଆପୁଟ ଗାଁରେ ଦୁର୍ଦ୍ଦଶାର ଚିତ୍ର ପ୍ରାୟ ଉଣା ଅଧିକେ ସମାନ । ଛିନଛତ୍ର ହୋଇଯାଇଛି ଦୁଇ ଗାଁର ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ଘର। ଏବେ ରାତି, ଦିନ ସମସ୍ତଙ୍କ ପାଇଁ ସମାନ।  ନୂଆ ଘର ଖଣ୍ଡେ କରିବା ପାଇଁ ଅଣ୍ଟାରେ ଧନ ନାହିଁ କି ଭଙ୍ଗା ଘରକୁ ସଜାଡିବାକୁ  ବଳ ବି ନାହିଁ ।

ଗତ ଫାଇଲିନ୍ ବାତ୍ୟାରେ ଆଳିଆପୁଟର ଶୈଳବାଳା ଜେନାଙ୍କ ଘର ଭାଙ୍ଗିଥିଲା। ପକ୍କା ଘର ଖଣ୍ଡେ ପାଇଁ ନାଁ ଯାଇଥିଲା । ହେଲେ ଆଜି ଯାଏଁ ଭାଗ୍ୟରେ ଜୁଟିଲାନି। ଠିକ୍ ସେମିତି ଆଉ ଜଣେ ହେଲେ କୁକୁମ ପ୍ରଧାନ।

ଏହି ବିଧବା ବୃଦ୍ଧା ଜଣକ ଧାର କରଜ କରି ୨ ବଖରା ଚାଳ ଘର ଭାଙ୍ଗି ନୂଆ ଆଜବେଷ୍ଟସ ପକାଇଥିଲେ, ହେଲେ ସେ ଟିକକ ଆଶ୍ରା ସହ ତାକୁ ବି ମାଟିରେ ମିଶାଇଦେଇଛି ଝଡ଼ ଫୋନି।

ଏବେ ସବୁଠି ଧ୍ୱଂସାବଶେଷ ତଳୁ ଖୋଜା ଚାଲିଛି ବଞ୍ଚିବାର ରାହା । ୩ଦିନର  ଉପାସ ପରେ କିଏ ଶୁଖିଲା ଚୁଡ଼ା ଡାଲାଏକୁ ସାରା ପରିବାର ପାଇଁ ଆଶ୍ରା କରିଛି ତ,  ଆଉ କାହା ଘରେ ଭାତ ଗଣ୍ଡେ ଫୁଟିଛି।

ବାସ ଗଲା, ଚାଷ ବି ଗଲା ବାତ୍ୟା ମାଡ଼ରେ ବତୁରି ଯାଇଛି ଘରେ ଥିବା ସାଇତା ଧାନ। ଏଣେ ଜମିରେ ପଚୁଛି ଖରାଦିନିଆ ପାଚିଲା ଫସଲ । ଓଦା ସର ସର ଧାନକୁ ଗାଁ ଦାଣ୍ଡରେ ବାଡେଇ ଯେନତେନ କିଛି ବଞ୍ଚେଇ ରଖିବାକୁ ପରିଶ୍ରମ କରୁଛି ସର୍ବହରା ଚାଷୀ।

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like