ଜିରୋ କାଜୁଆଲଟି ମିଶନ ଫେଲ ! ଫୋନିର ଆଁରେ ଗଲାଣି ୪୦ ଜୀବନ

ଭୁବନେଶ୍ୱର :  ଫୋନିର ଆଁ ଭିତରେ ହଜିଯାଇଛି ଅନେକ ମୂଲ୍ୟବାନ ଜୀବନ। ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୩୨ ବୋଲି କୁହାଯାଇଥିଲେ ବି ଏହା ୪୦ ଛୁଇଁଲାଣି। ବିଭିନ୍ନ ସ୍ଥାନରୁ ସୂଚନା ଆସିପାରୁ ନ ଥିବାରୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି। କେବଳ ପୁରୀରେ ଫୋନି ୨୧ ଜଣଙ୍କ ଜୀବନ ନେଇଛି ବୋଲି ସରକାର ସ୍ୱୀକାର କରିଛନ୍ତି।

ସେଦିନ ଥିଲା କାଳ ଶୁକ୍ରବାର। ସମୟ ସକାଳ ୯ ଟା ୩୦। ସାତପଡ଼ାରେ ପ୍ରଳୟ ରଚୁଥିଲା ଫୋନି। ପବନର ବେଗଥିଲା ଘଣ୍ଟାକୁ ପାଖାପାଖି ୨୦୦ କିଲୋମିଟର। ପବନ ଟିକେ କମିବା ପରେ ବାହାରକୁ ବାହାରିବା ବେଳେ ଆମ କ୍ୟାମରା କଏଦ କରିଥିଲା ଫୋନି ନେଇଥିବା ଜୀବନର ତାଜା ଚିତ୍ର।

କ୍ୟାବିନ କଡ଼ରେ ଆଶ୍ରୟ ନେଇଥିବା ମହିଳାଙ୍କ ଉପରେ ହିଁ ପଡ଼ିଯାଇଥିଲା ପୁରା କ୍ୟାବିନ। ତଳେ ଚାପି ହୋଇ ସେହିଠାରେ ମୃତ୍ୟୁ ବରଣ କରିଥିଲେ ମହିଳା। ଆମ ଠାରୁ ଖବର ପାଇବା ପରେ ଓଡ୍ରାଫ୍ ଟିମ ମୃତଦେହକୁ ଉଦ୍ଧାର କରିଥିଲା କିନ୍ତୁ ସାତପଡାରେ ଫୋନି ନେଇଥିବା ଏ ଜୀବନ ସଂପର୍କରେ ପ୍ରଶାସନ ପାଖରେ ଖବର ନାହିଁ।

ସରକାରୀ ଭାବେ ପୁରୀ ଜିଲ୍ଲାରେ ଏବେ ସୁଦ୍ଧା ୨୧ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ଏସଂଖ୍ୟା ବଢିବା ଆଶଙ୍କା ରହିଛି। ଭୁବନେଶ୍ୱରରେ ବି ଫୋନି ନେଇଛି ଜୀବନ।  ରାଜଧାନୀରେ ଏବେସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଗଛପଡି ୩ ଓ ଆଜବେଷ୍ଟସ ପଡି ୨ ଜଣଙ୍କ ଜୀବନ ଯାଇଛି। ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ପରିଚୟ ମିଳିଥିବା ବେଳେ ଜଣଙ୍କୁ ଚିହ୍ନଟ କରାଯାଇପାରିନାହିଁ। ତେବେ ଖୋର୍ଦ୍ଧା ଜିଲ୍ଲାରେ କାହାରି ମୃତ୍ୟୁ ହୋଇନଥିବା କହିଛନ୍ତି  ଜିଲ୍ଲାପାଳ।

ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୪୦ ଛୁଇଁଥିବା ବେଳେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ସରକାର ମାନିଛନ୍ତି। ବାରିପଦାରେ ୪ ଓ ଯାଜପୁର ୩ ଜଣଙ୍କ ଜୀବନ ନେଇଛି ଫୋନି। ନୟାଗଡ, ବାଲେଶ୍ୱର, କେନ୍ଦୁଝର  ଓ କେନ୍ଦ୍ରାପଡା ଜିଲ୍ଲାରେ ବି  ଲୋକେ ମୃତାହତ ହୋଇଥିବା ସୂଚନା ମିଳୁଛି। ସେଦୃଷ୍ଟିରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି।

ଫୋନିର ପ୍ରଳୟ ପରେ ଅନେକ ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚିନଥିବା ବେଳେ ଯୋଗାଯୋଗ ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍ ରହିଛି। ଫଳରେ ବାସ୍ତବ ଚିତ୍ର  ସ୍ପଷ୍ଟ ହୋଇ ପାରିନାହିଁ। ତେଣୁ ବାସ୍ତବରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ତାହା ଏବେଠୁ କହିବା ମୁସ୍କିଲ।

You might also like