ଫୋନି ପାଇଁ ନଷ୍ଟ ହେବାକୁ ବସିଛି  ହଜାର ହଜାର ଦୁର୍ଲଭ ପାଣ୍ଡୁଲିପି

ପୁରୀ: ଫୋନି ମାଡ଼ରେ ଖାଲି ଯେ, ପୁରୀ ଜିଲ୍ଲାର ଲୋକଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି ତା ନୁହେଁ, ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି ଶିକ୍ଷାନୁଷ୍ଠାନ। ଗୋପ ଓ ନିମାପଡ଼ା ବ୍ଲକ୍‌ର ୮୦ ଭାଗ ସ୍କୁଲ୍ ବାତ୍ୟାରେ ଏକ ପ୍ରକାର ନିଶ୍ଚିହ୍ନ ହୋଇଯାଇଥିବା ବେଳେ ପୁରୀ ସହରରେ ଥିବା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସର ବି ଛାରଖାର ହୋଇଯାଇଛି । ତେବେ ଚିନ୍ତାର ବିଷୟ ହେଉଛି ଫୋନି ଯୋଗୁଁ ଏଠାରେ ନଷ୍ଟ ହେବାକୁ ବସିଛି  ହଜାର ହଜାର ଦୁର୍ଲଭ ବହି ଓ ପାଣ୍ଡୁଲିପି ।

ଆଦିଭାଷା ସଂସ୍କୃତ ସମ୍ପର୍କରେ ଗବେଷଣା ଓ ପ୍ରଚାର ପ୍ରସାର ପାଇଁ ୧୯୮୧ ମସିହାରେ ପୁରୀରେ ଜନ୍ମ ନେଇଥିଲା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ । ଏହାର ମୁଖ୍ୟ ଫାଟକରେ ପସୁପସୁ ଯେଉଁଠି ଦିନେ ଏଭଳି ସବୁଜିମା ସଭିଁଙ୍କୁ ସ୍ୱାଗତ କରୁଥିଲା। ଆଜି ସେଠି ଶ୍ମଶାନର ଶୂନ୍ୟତା । ମୁଖ୍ୟ ପ୍ରବେଶ ପଥ ଦୁଇକଡ଼େ ଭାଙ୍ଗି ପଡ଼ିଛି । ଶହଶହ ଥୁଣ୍ଟାଗଛ, ସବୁଜ ପତ୍ରର ଚିହ୍ନବର୍ଣ୍ଣ ନାହିଁ ।

ଭିତରେ ପହଞ୍ଚୁ ପହଞ୍ଚୁ ୪ ମହଲା ବିଶିଷ୍ଟ କ୍ଷତାକ୍ତ ଲାଇବ୍ରେରୀ ହଲ୍ । ଯେଉଁଠି ସାଇତା ହୋଇ ରହେ ହଜାର ହଜାର ମୂଲ୍ୟବାନ ପୁସ୍ତକ ଓ ଦୁର୍ଲଭ ପାଣ୍ଡୁଲିପି । ସବୁ ଉପରେ ମାଡିଯାଇଛି ବାଲି।  ବେଳାଭୂମିଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ଏହି କୋଠାର ସମସ୍ତ ଝରକା ବାତ୍ୟାରେ ଭାଙ୍ଗି ଯାଇଥିବା ବେଳେ ଭିତରେ ଜମିଛି ଚାଖଣ୍ଡେ ଉଚ୍ଚ ବାଲି।  ଛିନ୍‌ଛତ୍ର ଚେୟାର୍ ଟେବୁଲ୍ । ବାଲି ଜମିଯାଇଥିବା ପ୍ରାୟ ୨୫ ହଜାର ଓଦା ବହିକୁ ଉଦ୍ଧାର କରି ଗୋଟିଏ ସ୍ଥାନରେ ଜମା କରାଯାଇଥିଲା । ବାତ୍ୟାର ତୀବ୍ରତା ବୟାନ୍ କରୁଥିଲା ଏଠି ଲାଗିଥିବା ଅଷ୍ଟବକ୍ର ପଙ୍ଖା।

କେବଳ ପୁରୀ ସହର ନୁହେଁ, ଜିଲ୍ଲାର ଅଧିକାଂଶ ଶିକ୍ଷାନୁଷ୍ଠାନକୁ ମାଟିରେ ମିଶାଇ ଦେଇଯାଇଛି ବାତ୍ୟା ଫୋନି।  ନିମାପଡ଼ା ଓ ଗୋପ ବ୍ଲକ୍‌ର ଅନେକ ସ୍କୁଲର ଅବସ୍ଥା ନ କହିବା ଭଲ।

You might also like