ଫୋନି ଉଜାଡ଼ି ଦେଲା କୁମ୍ଭକାର ସଂସାର: ଏବେ ମହାପ୍ରସାଦ ପାଇଁ କିଏ ଦେବ କୁଡ଼ୁଆ

ପୁରୀ( ମଧୁସୂଦନ ମିଶ୍ର) : ପୁରୀକୁ ଖିନଭିନ୍ କରିଦେଇଛି ବାତ୍ୟା ଫୋନି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଏହି ଜିଲ୍ଲା। ପୁରୀ ସହରର କାଁ ଭା ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଆସିଥିଲେ ବି ମୋଟାମୋଟି ସଂଧ୍ୟା ହେବା ମାତ୍ରେ ସହର ଅନ୍ଧାରରେ ବୁଡ଼ି ଯାଉଛି।  ଗାଁ କଥା ନ କହିଲେ ଭଲ।  ଘରର ଅଳିଆ ଗଦା ଭିତରେ ହଜି ଯାଇଥିବା ଡିବିରି ଓ ଲଣ୍ଠନ ଏବେ ପାଲଟିଛି ଏକମାତ୍ର ସାହାରା । ବିଜୁଳି ଆଲୁଅରେ ଅଭ୍ୟସ୍ତ ମଣିଷ ଏବେ ରାତି ହେଲେ ବାହାରକୁ ଯିବାକୁ ଡରୁଛି।  ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କେବେ ଆସିବ ବିଜୁଳି ।

ଫୋନି ଉଜାଡି ଦେଇଛି କୁଳ ବେଉସା ।  ପୁରୀ ଶ୍ରୀମନ୍ଦିର ଓ ଜଗନ୍ନାଥଙ୍କ ସେବା ସହ ପ୍ରତ୍ୟକ୍ଷ ଜଡ଼ିତ ପୁରୀ କୁମ୍ଭାରପଡ଼ାର ମାଟି କୁଡ଼ୁଆ କାରିଗର। ଏଠାରେ ଅଛନ୍ତି ପ୍ରାୟ ୩ ଶହ କୁମ୍ଭକାର ପରିବାର । ସମସ୍ତେ ପ୍ରାୟ ମାଟି କୁଡୁଆ ତିଆରି କରି ପେଟ ପୋଷନ୍ତି। ଏବେ ସେମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କିପରି ପ୍ରସ୍ତୁତ କରିବେ ମାଟିକୁଡୁଆ। କାରଣ ଫୋନି ସେମାନଙ୍କ କୁମ୍ଭାର ଶାଳକୁ ନିଶ୍ଚିହ୍ନ କରି ଦେଇଛି। ନଷ୍ଟ ହୋଇଯାଇଛି ସେମାନଙ୍କ କୁମ୍ଭାର ଚକ।

ଚିନ୍ତା ଖାଲି କୁମ୍ଭକାରଙ୍କୁ ନୁହେଁ, ଜିଲ୍ଲା ପ୍ରଶାସନକୁ ବି ଘାରିଛି। କାରଣ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସେବା ପୂଜା ଲାଗି କେଉଁଠୁ ଆସିବ ଲକ୍ଷ ଲକ୍ଷ ମହାପ୍ରସାଦ କୁଡ଼ୁଆ? ଆନନ୍ଦ ବଜାରରେ ଅଗଣିତ ଭକ୍ତ କେମିତି ସୁରୁଖୁରୁରେ ପାଇବେ ମହାପ୍ରସାଦ? କୁମ୍ଭକାର ମହେନ୍ଦ୍ର ବିଷୋୟୀ ଓ ରସାନନ୍ଦ ବିଷୋୟୀଙ୍କ କହିବା ଅନୁଯାୟୀ, ଫୋନିରେ କୁମ୍ଭାରପଡ଼ା କୁମ୍ଭକାରଙ୍କ କ୍ଷୟକ୍ଷତିର ପରିମାଣ ପ୍ରାୟ ୬ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଆଗକୁ ରଥଯାତ୍ରା ଆସୁଥିବାରୁ ଅଧିକ ବ୍ୟବସାୟ ଆଶାରେ ଅକ୍ଲାନ୍ତ ପରିଶ୍ରମ କରି ଅଧିକ ଅର୍ଥ ବିନିଯୋଗ କରିଥିଲେ କୁମ୍ଭାକାର ପରିବାର। ହେଲେ ତା ପୂର୍ବରୁ ଫୋନି ସେ ଆଶାକୁ ଧୂଳିସାତ କରିଦେଲା।

ଗୋଟିଏ ପଟେ ନିଜ ଚାଳ ଚୁଲି ଉଡ଼ିଯାଇଥିବା ବେଳେ ସେପଟେ ବେଉସା ବି ସଙ୍କଟରେ।  କାହାକୁ ସଜାଡିବେ ଜାଣି ପାରୁନାହାନ୍ତି।   ଏଭଳି ସ୍ଥିତିରେ ସେମାନେ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନର ସହଯୋଗ ଲୋଡିଛନ୍ତି ।

You might also like