ଦୁଇ ଭିନ୍ନକ୍ଷମ ଝିଅଙ୍କ ଚିନ୍ତାରେ ପରିବାର, ମିଳୁନି ସରକାରୀ ସହାୟତା

ବାଲେଶ୍ୱର: ଦିବ୍ୟାଙ୍ଗଙ୍କ ପାଇଁ ସରକାର କେତେ କ’ଣ ଯୋଜନା କରୁଛନ୍ତି, ହେଲେ ଯୋଜନାରୁ ସୁଫଳ ପାଇପାରୁ ନାହାନ୍ତି କିଛି ଲୋକେ। ବାଲେଶ୍ୱର ଜିଲ୍ଲା ସୋର ଅଡ଼ଙ୍ଗବଜାର ଅଞ୍ଚଳ ଗୌତମ ରଣାଙ୍କ ଅବସ୍ଥା ଏହିପରି।

ଦୁଇଟି ଝିଅ ଦିବ୍ୟାଙ୍ଗ ହୋଇଥିବା ବେଳେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଗୌତମଙ୍କ ପରିବାର। ନା ସରକାରୀ ଯୋଜନାରୁ ଲାଭ ପାଇଛନ୍ତି, ନା ଝିଅର ଚିକିତ୍ସା କରାଇ ପାରୁଛନ୍ତି। ଏମିତିକି ପିଲାଙ୍କ ନାଁରେ ଆଧାର କାର୍ଡ ମଧ୍ୟ ହୋଇପାରୁନି। ଫଳରେ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।

ଜନ୍ମ ହେବାର ଦୁଇ ମାସ ପରେ ଗୌତମଙ୍କ ପରିବାର ଲୋକେ ଜାଣିବାକୁ ପାଇଲେ ଦୁଇ ଝିଅ ହେଉଛନ୍ତି ଦିବ୍ୟାଙ୍ଗ। ଏହାପରେ ମାଆବାପା ଦୁଇଝିଅକୁ ଡାକ୍ତରଙ୍କୁ ଦେଖାଇଥିଲେ, ହେଲେ ସବୁଠି ନିରାଶ ହେବାକୁ ପଡ଼ିଛି। ଦୁଇ ଝିଅ ଅବନ୍ତିକା ଓ ଅଙ୍କିତା ସବୁବେଳେ ବିଛଣାରେ ଶୋଇ ରହୁଛନ୍ତି।

ଗୌତମ ପେଶାରେ ଜଣେ ବ୍ୟବସାୟୀ। ବିଭିନ୍ନ ପୂଜା ସାମଗ୍ରୀ, ରଙ୍ଗ ବେରଙ୍ଗର ସୋଲରେ ତିଆରି ଫୁଲକୁ ବଜାରରେ ବିକି ଯାହା ଦୁଇ ପଇସା କମାନ୍ତି, ସେଥିରେ ପରିବାର ପୋଷନ୍ତି। ସଂପତ୍ତି କହିଲେ, ଭଙ୍ଗା ଆଜବେଷ୍ଟ୍ ଘର ଖଣ୍ଡିଏ। ତେଣୁ ଏଭଳି କ୍ଷେତ୍ରରେ ଦିବ୍ୟାଙ୍ଗ ଝିଅଙ୍କର ଅଧିକ ଚିକିତ୍ସା କିଭଳି କରାଇବେ, ସେ ନେଇ ସବୁବେଳେ ଚିନ୍ତାରେ ବାପାମାଆ।

ଅନ୍ୟପଟେ ଏନେଇ ପ୍ରଶାସନକୁ ଅବଗତ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନ ଥିବା କହିଛନ୍ତି ପୌରପାଳିକା ଉପାଧ୍ୟକ୍ଷା। ଏ ବିଷୟରେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି ସୋର ତହସିଲଦାର।

 

You might also like