ଝିଅର ଶୁଦ୍ଧିକ୍ରିୟା କରୁଥିଲେ, ଖବର ଆସିଲା ଝିଅ ବଞ୍ଚିଛି….

ରାଉରକେଲା: ପ୍ରାୟ ଏକ ବର୍ଷ ଧରି ନିଖୋଜ ହୋଇଯାଇଥିଲେ ଝିଅ। ଅନେକ ଆଶା ଆଶଙ୍କା ମଧ୍ୟ ଦେଇ ଗତି କରୁଥିଲେ ପରିବାର ଲୋକେ। ଶେଷରେ ଝିଅକୁ ନ ପାଇ ପରିବାରର ଲୋକେ ଝିଅର ମୃତ୍ୟୁ ହୋଇଥିବା ଭାବି କ୍ରିୟାକ୍ରମ କରିବାକୁ ଲାଗିଥିଲେ। ହେଲେ ଏହାପୂର୍ବରୁ ଝିଅ ଜୀବତ ଥିବା ନେଇ ଆସିଲା ଖବର। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଲାଠିକଟା ବ୍ଲକ ଚାନ୍ଦିପୋଷ ଅଞ୍ଚଳରେ।

ବର୍ଷେ ତଳୁ ଚମ୍ପାଝରଣର ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ।  ରାତିରେ ଶୋଇଥିବା ବେଳେ ସକାଳୁ ଆଉ ଝିଅକୁ ପାଇଲେନି । ବହୁ ଆଡ଼େ ଖୋଜାଖୋଜି କରି ନୟାନ୍ତ ହୋଇପଡ଼ିଲେ।  ତଥାପି ଝିଅ ଫେରିବ ବୋଲି ଆଶା ଛାଡ଼ି  ନଥିଲେ। ହେଲେ କିଛିଦିନ ପୂର୍ବେ  ଝିଅ ମୃତ ବୋଲି ଘର ଲୋକ ଖବର ପାଇଲେ ।

ଏହାପରେ ଝିଅର କ୍ରିୟାକ୍ରମ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ।  ହଠାତ୍ ପୁଲିସ୍‌ ଗାଁରେ ପହଞ୍ଚି ପରିବାର ଲୋକଙ୍କୁ ଝିଅ ଜୀବିତ ଥିବା ଖବର ଦେଇଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ପୁଣି ଥରେ ଝିଅ ଫେରିବାର ଆଶା ଉଜ୍ଜୀବିତ ହୋଇଛି।

ଗୁରୁବାର ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତି ନାବାଳିକାକୁ ଉଦ୍ଧାର କରି ସୁନ୍ଦରଗଡ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ରାମ ଚନ୍ଦ୍ର ବେହେରାଙ୍କୁ ଖବର ଦେଇଥିଲେ । ରାମଚନ୍ଦ୍ର ବେହେରା ଏ ବାବଦରେ ଚାନ୍ଦିପୋଷ ପୁଲିସ୍‌କୁ  ଖବର ଦେବାପରେ ପୁଲିସ୍‌ ଗ୍ରାମରେ ପହଞ୍ଚି ଘର ଲୋକଙ୍କୁ ଫଟୋ ଦେଖାଇଥିଲେ। ଝିଅ ଜୀବିତ ଅଛି ବୋଲି ପରିବାର ଲୋକେ ପ୍ରଥମେ ବିଶ୍ୱାସ କରି ପାରି ନ ଥିଲେ ମଧ୍ୟ ଉକ୍ତ ଫଟୋଟି ତାଙ୍କ ଝିଅର ବୋଲି ସ୍ପଷ୍ଟ କରିଥିଲେ।

ଝିଅ କିପରି ଓ କେଉଁଠି ଥିଲା ସେ ନେଇ ପରିବାର ଲୋକେ କିଛି ଜାଣି ନ ଥିବା ବେଳେ  ଏବେ  ଝିଅର ଫେରିବା ବାଟକୁ ଅନାଇ ବସିଛନ୍ତି।

ଆହୁରି ପଢ଼ନ୍ତୁ

You might also like